ପାଣି ପାଇଁ ଡହଳବିକଳ ଗାଡ଼ାସାହିବାସୀ

ଚମ୍ପୁଆ,୨୩ା୩(ଡି.ଏନ୍‌.ଏ): ଖଣି ଖାଦାନ ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାତ୍ର ଉପଖଣ୍ଡ ମୁଖ୍ୟାଳୟଠାରୁ ୧୨ କି.ମି ଦୂର କାଳିକାପ୍ରସାଦ ପଞ୍ଚାୟତ ବସିରା ଗ୍ରାମର ଗାଡ଼ାସାହିରେ ଦେଖିବାକୁ ମିଳିଛି ଜଳକଷ୍ଟ ସମସ୍ୟା। ପାନୀୟ ଜଳ ପାଇଁ ସାହି ବାସିନ୍ଦାଙ୍କୁ ପାହାଡି ନାଳ ଉପରେ ଭରସା କରିବାକୁ ପଡୁଛି। ଏପରିକି ଉକ୍ତ ନାଳରେ ଚୁଆ ଖୋଳି ଜଳ ଆବଶ୍ୟକତା ପୂରଣ କରୁଛନ୍ତି ଗ୍ରାମବାସୀ।
ସୂଚନା ଅନୁଯାୟୀ, ଗାଡ଼ାସାହିରେ ୨୫ଟି ପରିବାରର ପ୍ରାୟ ୨୦୦ ଲୋକ ବସବାସ କରୁଛନ୍ତି। ଏହି ସାହିରେ ଏକ ନଳକୂପ ରହିଥିଲେ ମଧ୍ୟ ତାହା ପାନୀୟ ଜଳ ଆବଶ୍ୟକତା ପୂରଣ କରିପାରୁନାହିଁ। ପାନୀୟ ଜଳ ସଂଗ୍ରହ ପାଇଁ ଭୋର ସମୟରୁ ସ୍ଥାନୀୟ ଲୋକେ ନଳକୂଅ ପାଖରେ ଭିଡ଼ ଜମାଉଥିଲା ବେଳେ କେତେକ ବୋହି ଯାଉଥିବା ନାଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ଯୋଜନା ଆରମ୍ଭ କରିଥିଲେ ମଧ୍ୟ ଗାଡ଼ାସାହିବାସୀ ଏହି ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ କରନ ସୋରେନଙ୍କୁ ପଚାରିବାରୁ ଉକ୍ତ ସମସ୍ୟା ମୋ ନଜରକୁ ଆସିନାହିଁ। ସ୍ଥାନୀୟ ବାସିନ୍ଦା ବିଡିଓଙ୍କୁ ଅବଗତ କଲେ ଆମକୁ ଏ ବିଷୟରେ ଅବଗତ କରାଯିବ ଏବଂ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।