କିଛି ଅଲଗା କରିବାକୁ ଚାହୁଁଥିବା ଲୋକେ ବେଳେବେଳେ ଏମିତି ଅସୁବିଧାରେ ପଡ଼ନ୍ତି ଯେ, ସେଠାରୁ ବାହାରିବା ମୁସ୍କିଲ। ଏମିତି ଘଟିଛି ବ୍ରିଟେନର ଜଣେ ଛାତ୍ରଙ୍କ କ୍ଷେତ୍ରରେ। ୧୪ବର୍ଷୀୟ ମାଇଲ୍ସ ରୁଟଲେଜ ଗୁଗ୍ଲରେ ପର୍ଯ୍ୟଟକଙ୍କ ପାଇଁ ସବୁଠୁ ଭୟଙ୍କର ସ୍ଥାନ କେଉଁଠି ସର୍ଚ୍ଚ କରୁଥିଲେ। ଏହା ପରେ ମାଇଲ୍ସ ଆଫଗାନସ୍ତାନରେ ପହଞ୍ଚି ଯାଇଥିଲେ। ମାତ୍ର ତାଙ୍କୁ ଜଣା ନ ଥିଲା ଏଠାରେ ତାଲିବାନର ସାମ୍ନା କରିବାକୁ ପଡ଼ିବ ବୋଲି।
ଆଫଗାନିସ୍ତାନକୁ ତାଲିବାନ କବ୍ଜା କରିବା ପରେ ମାଇଲ୍ସ କାବୁଲରେ ଫସିଗଲେ। ଏଠାରୁ ସେ ବାହାରିବା ପାଇଁ ଅନେକ ଥର ଚେଷ୍ଟା କରିଛନ୍ତି। ମାତ୍ର ଏଥିରେ ସଫଳ ହୋଇପାରି ନ ଥିଲେ। ତାଙ୍କୁ ଏକ ୟୁଏନ୍ ସେଫ୍ ହାଉସରେ ଲୁଚାଇ ରଖାଯାଇଥିଲା। ଏବେ ତାଙ୍କୁ କାବୁଲରୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ମାଇଲ୍ସ ସେଠାରୁ ଫେରିବା ପରେ ତାଙ୍କର ଏହି ଯାତ୍ରା ବିଷୟରେ ସୋସିଆଲ ମିଡିଆରେ ଶେୟାର କରି ସୂଚନା ଦେଇଛନ୍ତି।
ମାଇଲ୍ସ ତାଙ୍କ ବନ୍ଧୁମାନଙ୍କୁ ସୋସିଆଲ ମିଡିଆରେ କହିଥିଲେ କି, ମୁଁ ମରିବା ପାଇଁ ପ୍ରସ୍ତୁତ । ଯଦି ମୁଁ ଧାର୍ମିକ ହୋଇଥିବି ମୋତେ ଉପରବାଲା ବଞ୍ଚାଇଦେବେ। ଆଉ ଯଦି ମୁଁ ମରିଗଲି ତୁମେମାନେ ମନ ଦୁଃଖ କରିବ ନାହିଁ। ଏବେ ସେ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରି ଆସିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।