ନୂଆଦିଲ୍ଲୀ,୬।୮: ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳକୁ ୧୮ ମାସ ବଢ଼ାଯାଇଛି। ସେ ୨୦୨୨ ଫେବୃୟାରୀ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ ବୋଲି ପର୍ସୋନେଲ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଏହି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ପହିଲାରୁ ଏହି ନିଷ୍ପତ୍ତି ଲାଗୁ କରାଯିବ। ତ୍ୟାଗୀ ୧୯୮୪ ବ୍ୟାଚ୍ ହିମାଚଳ କ୍ୟାଡରର ଆଇଏଏସ୍ ଅଫିସର । ୨୦୧୭ରେ ତାଙ୍କୁ ୩ ବର୍ଷ ଲାଗି ସେବି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କ କାର୍ଯ୍ୟକାଳକୁ ୩ ମାସ ବଢାଯାଇ ଅଗଷ୍ଟ କରାଯାଇଥିଲା। ଏହାକୁ ପୁଣି ଥରେ ୧୮ ମାସ ବଢ଼ାଯାଇଥିବା ଜଣାପଡ଼ିଛି।