Categories: ଜାତୀୟ

ଚାଇନା କମ୍ପାନୀରେ ମାଧବୀଙ୍କ ନିବେଶ

ନୂଆଦିଲ୍ଲୀ,୧୫ା୯: ଭାରତର ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ ଓ ତାଙ୍କ ସ୍ବାମୀ ଆଦାନୀ ଗ୍ରୁପ୍‌ର ଷ୍ଟକ୍‌ ମୂଲ୍ୟ ଜାଲିଆତିରେ ସମ୍ପୃକ୍ତ ଦରିଆପାରି ସଂସ୍ଥାରେ ପୁଞ୍ଜିନିବେଶ କରିଥିବା ଆମେରିକୀୟ ଗବେଷଣା ସଂସ୍ଥା ହିଣ୍ଡେନବର୍ଗ ପ୍ରକାଶ କରିବା ପରେ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟେରେଷ୍ଟ ଅଭିଯୋଗ ଆସିବାରେ ଲାଗିଛି। ପଡୋଶୀ ଚାଇନା ସହ ଭାରତର ଭୂରାଜନୈତିକ ଉତ୍ତେଜନା ଲାଗିରହିଥିବାବେଳେ ସେହି ଦେଶର ବିଭିନ୍ନ କମ୍ପାନୀ ସମେତ ଭାରତ ବାହାରେ ମାଧବୀ ବିପୁଳ ପୁଞ୍ଜିନିବେଶ କରିଥିବା କଂଗ୍ରେସ ଶନିବାର ସାନି ଅଭିଯୋଗ ଆଣିଛି। ପ୍ରକାଶିତ ହୋଇ ନ ଥିବା ମୂଲ୍ୟସମ୍ବେଦୀ ସୂଚନା ପାଖରେ ଥାଇ ସେବି ଅଧ୍ୟକ୍ଷା ତାଲିକାଭୁକ୍ତ ସିକ୍ୟୁରିଟିଗୁଡ଼ିକରେ କାରବାର କରୁଥିଲେ ବୋଲି କଂଗ୍ରେସ କହିଛି।
ବରିଷ୍ଠ କଂଗ୍ରେସ ନେତା ପଓ୍ବନ୍‌ ଖେରା ଉପରୋକ୍ତ ଅଭିଯୋଗ ଆଣି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଧବୀ ଭାରତ ବାହାରେ ବିପୁଳ ପୁଞ୍ଜିନିବେଶ କରିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କି? ଯଦି ହଁ, ତେବେ ନିବେଶ ତାରିଖ ଓ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ସମୟ କେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଇନା ସହ ଭାରତର ଉତ୍ତେଜନା ଲାଗିରହିଥିବାବେଳେ ସେବି ଅଧ୍ୟକ୍ଷା ସେଠାର କମ୍ପାନୀରେ ପୁଞ୍ଜିନିବେଶ କରିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କି ବୋଲି ଖେରା ଜାଣିବାକୁ ଚାହିଁଛନ୍ତି।

ସୂଚନାଯୋଗ୍ୟ, ବିରୋଧୀ ଦଳ କ୍ରମାଗତ ଭାବେ ସେବି ଅଧ୍ୟକ୍ଷାଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଆସୁଥିବାବେଳେ ମାଧବୀ ଓ ତାଙ୍କ ସ୍ବାମୀ ଧବଳ ବୁଚ୍‌ ଏହାକୁ ଭିତ୍ତିହୀନ କହି ଖଣ୍ଡନ କରିଆସିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାକୁ ପରାମର୍ଶ ସେବା ଯୋଗାଉଥିବା ଆଗୋରା ଆଡଭାଇଜରି ପ୍ରା. ଲିଃରେ ମାଧବୀଙ୍କର ୯୯ ପ୍ରତିଶତ ଅଂଶଧନ ରହିଥିବା କଂଗ୍ରେସ ଅଭିଯୋଗ କରିଥିବାବେଳେ ବୁଚ୍‌ ଦମ୍ପତି ଶୁକ୍ରବାର ଏହାକୁ ଖଣ୍ଡନ କରିଥିଲେ। ମାଧବୀ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ମାମଲାରେ ମଧ୍ୟସ୍ଥତା କରୁଥିବାବେଳେ ତାଙ୍କ ସ୍ବାମୀ ଉକ୍ତ ସଂସ୍ଥାରୁ ୪.୭୮ କୋଟି ଟଙ୍କା ଗ୍ରହଣ କରିଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ମାଧବୀ ସେବିରେ ଯୋଗଦେବା ପରେ ମହିନ୍ଦ୍ରା ଗ୍ରୁପ୍‌, ଆଗୋରା ଆଡଭାଇଜରି, ଆଗୋରା ପାର୍ଟନର୍ସ, ଟାଇମ୍ସ ଅଫ୍‌ ଇଣ୍ଡିଆ ପିଡିଲାଇଟ୍‌, ଡ. ରେଡିସ୍‌, ଆଲଭାରେଜ୍‌ ଆଣ୍ଡ ମାର୍ସାଲ, ସେମ୍ବକର୍ପ, ଭିସୁ ଲିଜିଙ୍ଗ କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ସହ ସମ୍ପୃକ୍ତ କୌଣସିି ଫାଇଲ କଦାପି ଡିଲ୍‌ କରି ନ ଥିବା ବୁଚ୍‌ ଦମ୍ପତି ଏକ ବିବୃତିରେ କହିଥିଲେ। ସୂଚନାଯୋଗ୍ୟ, ସେବି ଅଧ୍ୟକ୍ଷାଙ୍କ ବିରୋଧରେ ବିଭିନ୍ନ ସଂସ୍ଥା ଅଭିଯୋଗ ଆଣିବା ସତ୍ତ୍ୱେ ସେ ବହୁ ସପ୍ତାହ ହେଲା ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଆସୁଥିବା ନେଇ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ବୁଧବାର ପ୍ରଶ୍ନ ଉଠାଇବାରୁ ଶୁକ୍ରବାର ମାଧବୀ ଓ ଧବଳ ବୁଚ୍‌ ଗଣମାଧ୍ୟମକୁ ଆସି ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଥିଲେ।

Share