କରୋନା ସ୍ଥିତି ସମୀକ୍ଷା: ଭୀମସାରରେ ଖୋଲିବ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର, ୧୪।୪(ବ୍ୟୁରୋ): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ହେବ ଦ୍ୱିତୀୟ କୋଭିଡ ହସ୍ପିଟାଲ। ଭୀମସାରର ନବନିର୍ମିିତ ମେଡିସିନ ୱାର୍ଡରେ ଏହି ହସ୍ପିଟାଲ ଖୋଲାଯିବ ବୋଲି ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲାର କୋଭିଡସ୍ଥିତି ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି।
୧୦ ଦିନ ଭିତରରେ ଭୀମସାରରେ ଦ୍ୱିତୀୟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହେବ। ଏଠାରେ ୩୦୦ଟି ବେଡ ରହିବ। ସେଥିମଧ୍ୟରୁ ୨୫୦ଟି ସାଧାରଣ ବେଡ ରହିବ। ଏଥିରେ ଅକ୍ସିଜେନ ବ୍ୟବସ୍ଥା ରହିବ। ବାକି ୫୦ଟି ବେଡ୍‌ ଆଇସିୟୁରେ ରହିବ।
ଭୀମସାରରେ ପୂର୍ବର ଥିବା କୋଭିଡ୍‌ ହସ୍ପିଟାଲର ଆଇସିୟୁରେ ୨୦ଟି ବେଡ ରହିଛି। ଏବେ ଆଇସିୟୁରେ ଆଉ ୩୦ଟି ବେଡ୍‌ର ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ୧୭୫ଟି ସାଧାରଣ ବେଡ ରହିଛି। କେବଳ ଭୀମସାରରେ ୫୨୫ଟି ବେଡ ପ୍ରସ୍ତୁତ ରଖିବାକୁ ଆମେ ଚେଷ୍ଟା କରୁଛୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଛତିଶଗ ଓ ଝାଡ଼ଖଣ୍ଡରେ ଦ୍ରୁତଗତିରେ ସଂକ୍ରମଣ ବଢୁଥିବାରୁ ତାକୁ ଦୃଷ୍ଟିରେ ରଖି ଆମେ ଆଗାମୀ ଦିନ ପାଇଁ ପ୍ରସ୍ତୁତ ହେବୁ। ଯେମିତି ବହୁ ପରିମାଣରେ ବେଡ, ଆଇସିୟୁ ଓ ଭେଣ୍ଟିଲେଟର ଆଦି ଉପଲବ୍ଧ ରହିବ ଏବଂ କୌଣସି ପ୍ରକାର ଅସୁବିଧା ହେବନି, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସଚିବ କହିଛନ୍ତି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମହାପାତ୍ରଙ୍କ ସମେତ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର, ଡିଏମ୍‌ଇଟି ସିବିକେ ମହାନ୍ତି, ସମ୍ବଲପୁର ଜିଲାପାଳ ଶୁଭମ ସକ୍ସେନା, ଝାରସୁଗୁଡା ଜିଲାପାଳ ସରୋଜ ସାମଲ, ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share