ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ: ବିରୋଧୀଙ୍କ ହଟ୍ଟଗୋଳ, ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସ୍ବାଭାବିକ ଭାବେ ଆରମ୍ଭ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

ପ୍ରଥମେ ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଏହି ଘଟଣାକୁ ସେ ନିନ୍ଦା କରିବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରି ସମସ୍ତ କାର୍ଯ୍ୟସୂଚୀ ବାତିଲ କରି ମୋସନ ଆକାରରେ ଆଲୋଚନା ଦାବି କରିଥିଲେ।

ଅପରପକ୍ଷେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର ମଧ୍ୟ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କହିଥିଲେ। ଶାସକ ଦଳ ପକ୍ଷରୁ ବିଧାୟକ ଅମର ଶତପଥୀ ଏହାର ଉତ୍ତରରେ, ସରକାରଙ୍କ ପକ୍ଷରୁ ଉପଯୁକ୍ତ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ।
ପରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ବାଚସ୍ପତିଙ୍କୁ ବିରୋଧୀ ଦାବି କରିଥିଲେ। ଗଣ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଲୋଚନା ପାଇଁ ଉଭୟ ଭାଜପା ଓ କଂଗ୍ରେସ ଦାବି ଉଠାଇଥିଲେ। ଏହାକୁ ନେଇ ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ମୁଲତବୀ କରିଦିଆଯାଇଛି।