ଧୂମଧାମରେ ହୋଇଥିଲା ବିବାହ; ପରଦିନ କରୋନା ସଂକ୍ରମିତ ହେଲେ ବର: ୯ମ ଦିନରେ…

ନୂଆଦିଲ୍ଲୀ,୧୧।୫: ସହର ପରେ ଏବେ ଗାଁ ମୁହାଁ କରୋନା। ଫଳରେ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି। ଏହାସତ୍ତ୍ୱେ ଗାଁମାନଙ୍କରେ ଠିକ୍‌ ଭାବେ କରୋନା ଗାଇଡ୍‌ଲାଇନ୍‌ ପାଳନ କରାଯାଉନାହିଁ। ସଚେତନତା ଅଭାବରୁ ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଲୋକ କରୋନାରେ ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି। ଏହିପରି ଏକ ଘଟଣା ରାଜସ୍ଥାନର ଜାଲୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଏଠାରେ ବିବାହର କିଛି ଦିନ ପରେ କରୋନାରେ ସଂକ୍ରମିତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସଭା, ସମାରୋହ ଏବଂ ବିବାହ ଉତ୍ସବ ଆଦି ଉପରେ ନାନାଦି କଟକଣା ଜାରି କରାଯାଇଛି। ରାଜସ୍ଥାନର ଗେହଲଟ ସରକାର ଲଗାତାର ଭାବେ ଲୋକଙ୍କୁ ସତର୍କ କରାଇବା ସହ ଏହି ସମୟରେ ବୈବାହିକ କାର୍ଯ୍ୟକ୍ରମର ଆୟୋଜନ ନ କରିବାକୁ ଅପିଲ ମଧ୍ୟ କରିଛନ୍ତି। ଏକାସାଙ୍ଗରେ ଅଧିକ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ଗ୍ରାମଗୁଡ଼ିକରେ ବିବାହ ସମାରୋହ ଧୁମଧାମରେ ପାଳନ କରାଯାଉଛି। ସେଠାରେ ସାମାଜିକ ଦୂରତା ପାଳନ ତ ଦୂରର କଥା ମାସ୍କ ବି କେହି ପିନ୍ଧୁନାହାନ୍ତି। ଯାହାର ପରିଣାମସ୍ବରୂପ ରବିବାର ଏକ ନବବିବାହିତା ଦାମ୍ପତ୍ୟ ଜୀବନରେ ପ୍ରବେଶ କରିବାର କିଛି ଦିନ ପରେ ସ୍ବାମୀଙ୍କୁ ହରାଇଛନ୍ତି।

ଜାଲୋର ରାୟପୁରିଆର ଇଶ୍ୱର ସିଂହ ଦଓ୍ବେଡାଙ୍କ ଝିଅ କୃଷ୍ଣା କଓ୍ବରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୩୦ରେ ବେରଠ ଅଞ୍ଚଳର ଶୈତାନ ସିଂହଙ୍କ ସହ ହୋଇଥିଲା। ଏହି ବିବାହରେ କରୋନା ଗାଇଡଲାଇନ୍‌ ପାଳନ କରାଯାଇ ନ ଥିଲା। ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ମେ’ ୧ରେ ବରବଧୂ ଘରକୁ ଫେରିଥିଲେ। ଉକ୍ତଦିନ ଶୈତାନ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଜାଲୋର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେବେ ସ୍ବାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ ସିରୋହି ଏବଂ ପରେ ପାଲନପୁର ଡାକ୍ତରଖାନା ନିଆଯାଇଥିଲା। ହେଲେ ମେ’ ୯ ରବିବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ବିବାହ ଉତ୍ସବ ସମୟରେ କରୋନାର ଗାଇଡ୍‌ଲାଇନ୍‌ ପାଳନ କରାଯାଇ ନ ଥିବାରୁ ଏଭଳି ଘଟିଥିବା ଜଣାପଡ଼ିଛି।

Share