
ଭବାନୀପାଟଣା,୧୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନରେ ଚାଲିଥିବା ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ସୋମବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ଏହି ଅବସରରେ ସ୍ଥାନୀୟ ୱିଜ୍ଡମ ପାର୍କ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଶିଶୁ ଓ ଯୁବମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ୫ରୁ ଅଧିକ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ଇନ୍ଷ୍ଟିଚ୍ୟୁଶନର ୧୫ ଶହରୁ ଊଦ୍ଧର୍ବ ଛାତ୍ରୀଛାତ୍ର ଉପସ୍ଥିତ ରହି ବିଭିନ୍ନ ଭାଷାର ବହୁ ଚର୍ଚ୍ଚିତ ଫିଲ୍ମଗୁଡିକୁ ଉପଭୋଗ କରିଥିଲେ।
‘କ୍ରିଏଟିଂ ଇମ୍ପାକ୍ଟ ଫୁଲ ଫିଲ୍ମ ଆଣ୍ଡ କନେକ୍ଟିଂ ଉଇଥ ଇୟୋର ସେଲ୍ଫ’ ଶୀର୍ଷକ କର୍ମଶାଳାରେ ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର, ପର୍ପଲ ଫିଲ୍ମ ଲ୍ୟାବ୍ସର ପ୍ରତିଷ୍ଠାତା ଶ୍ୱେତା ପରଖ, ଜର୍ଜିଆରୁ ରାଷ୍ଟ୍ରଦୂତ ସୁଶ୍ରୀ ଆନା ଡୋବୋର୍ଜଗିନିଡଜେ, ଲିଥୁନିଆରୁ ସୁଶ୍ରୀ ରାସା ଓଜିଉନାଇଟେ, ୟୁକ୍ରେନରୁ ଭୋଲୋଡିର୍ମି ପ୍ରିଟୁଲା ଯୋଗଦେଇ ଶିକ୍ଷାର୍ଥୀମାନେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନର ନିର୍ଦ୍ଦେଶକ ଡି. ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି. ରାମ କୁମାର, ଏକାଡେମୀକ ଇନ୍ଚାର୍ଜ ଡି. ବିଜୟା, ପରିଚାଳନା କମିଟି ସଦସ୍ୟା ଡି. ପଦ୍ମିନୀ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତି ମିଶ୍ର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଯୋଗଦେଇଥିଲେ।