ମଣିଷ ମୃତ୍ୟୁ ସହ ଯୁଝୁଥିବା ସମୟରେ ଯିଏ ତାଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିବାରେ ସକ୍ଷମ ହୋଇଥାନ୍ତି ସେ ହେଉଛନ୍ତି ଡାକ୍ତର। ସେଥିପାଇଁ ତ କଥାରେ କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ରୋଗୀ ସେବା ହେଉଛି ଯାହାଙ୍କର ପରମ ଧର୍ମ। ଆଉ ଏହି ଧର୍ମକୁ ପାଳନ କରନ୍ତି ବି ଅନେକ ଡାକ୍ତର। ଏଥିପାଇଁ ସେମାନେ ଯେକୌଣସି ପ୍ରତିକୁଳ ପରିସ୍ଥିତିର ସାମ୍ନା କରିବାକୁ ପଛାନ୍ତି ନାହିଁ। ସେମିତି କେତେଜଣ ଡାକ୍ତରଙ୍କ ସମ୍ପର୍କରେ..
ବଣ୍ଡା ଜନଜାତିଙ୍କ ପାଇଁ ଦେବଦୂତ ଡାକ୍ତର ଚମ୍ପେଶ୍ୱର
ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା ବଣ୍ଡାଘାଟି ସମୁଦ୍ର ପତନଠାରୁ ପ୍ରାୟ ୩୦୦୦ ଫୁଟ ଉଚ୍ଚରେ ଅବସ୍ଥିତ। ଏହି ଅଞ୍ଚଳରେ ରହିଛି ପ୍ରାୟ ୭ଟି ପଞ୍ଚାୟତ; ଯେଉଁଠାରେ ମୁଖ୍ୟତଃ ବଣ୍ଡା ଏବଂ ଡିଡାଇ ଜନଜାତି ବସବାସ କରିଥାନ୍ତି। ପୂର୍ବରୁ ଏଠାରେ ରାସ୍ତାଘାଟର ସେତେ ସୁବିଧା ନ ଥିଲା। ତା’ସହିତ ଇଲେକ୍ଟ୍ରିସିଟି ଓ ମୋବାଇଲ୍ ନେଟଓ୍ବର୍କର କଥା ନ କହିବା ଭଲ। ସ୍ବାସ୍ଥ୍ୟ ବ୍ୟବସ୍ଥା ବି ସେମିତି କିଛି ଖାସ୍ ନ ଥିଲା। ଫଳରେ ସ୍ଥାନୀୟ ଲୋକେ ଅନ୍ଧବିଶ୍ୱାସରେ ବଶୀଭୂତ ହୋଇ ବିଭିନ୍ନ ରୋଗ ହେଲେ ଗୁଣି ଗାରେଡ଼ି, ଦିଶାରୀ ଉପରେ ନିର୍ଭର କରୁଥିଲେ। କିଛିଦିନ ପରେ ରାଜ୍ୟ ସରକାର ବଣ୍ଡାଘାଟିକୁ ଗମନାଗମନ ପାଇଁ ପିଚୁରାସ୍ତା ନିର୍ମାଣ କରିବା ସହ ମୁଦୁଲିପଡ଼ାଠାରେ ଏକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରି କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ସେଠାରେ ନିଯୁକ୍ତି ଦେଲେ। କିନ୍ତୁ କେହି ଏମ୍ବିବିଏସ୍ ଡାକ୍ତର ପୋଷ୍ଟିଂ ହୋଇ ନ ଥିବାରୁ ସ୍ବାସ୍ଥ୍ୟ ବ୍ୟବସ୍ଥା ସେତେ ସୁଧୁରି ପାରି ନ ଥିଲା। ଅନ୍ୟପକ୍ଷେ ବଣ୍ଡା ଜନଜାତି ଦିଶାରୀଙ୍କୁ ଏତେ ବିଶ୍ୱାସ କରୁଥିଲେ ଯେ, ମାଗଣାରେ ଆସି ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ହେବାକୁ ମଧ୍ୟ ସେମାନେ ପସନ୍ଦ କରୁ ନ ଥିଲେ। ୨୦୨୧ ଜୁନ୍ ମାସରେ ଚମ୍ପେଶ୍ୱର ପାଣିଗ୍ରାହୀ ନାମକ ଜଣେ ଏମ୍ବିବିଏସ୍ ଡାକ୍ତର ପ୍ରଥମ କରି ଏହି ମୁଦୁଲିପଡ଼ା ପ୍ରାଥମିକ ସ୍ଥାସ୍ଥ୍ୟ କେନ୍ଦ୍ରକୁ ପୋଷ୍ଟିଂ ହୋଇ ଆସିଲେ। କାର୍ଯ୍ୟରେ ଯୋଗଦେଲା ପରେ ଡାକ୍ତରଖାନାକୁ କେହି ରୋଗୀ ଆସୁ ନ ଥିବା କଥା ଲକ୍ଷ୍ୟ କରି ସେ ପ୍ରକୃତ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲେ। ସ୍ଥାନୀୟ ଲୋକେ ଅନ୍ଧବିଶ୍ୱାସର ଶିକାର ହୋଇଥିବା କଥା ଜାଣିବା ପରେ ସେ ସାହସ କରି ଗାଁ ଗାଁ ବୁଲି ସେଠାକାର ଲୋକଙ୍କୁ ବିଭିନ୍ନ ରୋଗ ଏବଂ ଡାକ୍ତରଖାନାରେ ମିଳୁଥିବା ମାଗଣା ଔଷଧ ଦ୍ୱାରା ସେସବୁର କିପରି ନିରାକରଣ ହୋଇପାରିବ ସେ ବିଷୟରେ ବୁଝାଇବାକୁ ଚେଷ୍ଟା କଲେ। ନିଜର ଏହି ଅନୁଭୂତି ସମ୍ପର୍କରେ ଚମ୍ପେଶ୍ୱର କୁହନ୍ତି, ‘ସୋନପୁର ଜିଲା ବୀରମହାରାଜପୁରସ୍ଥିତ ମାଣିକପୁରରେ ମୋର ଜନ୍ମ। ବାପା କୁଳମଣି ପାଣିଗ୍ରାହୀ ଓ ମା’ କୁନ୍ତିଲତା ପାଣିଗ୍ରାହୀ। ପିଲାଦିନେ ମୁଁ ଥରେ ବାପାଙ୍କୁ ପଚାରିଥିଲି, ”କେଉଁ କାର୍ଯ୍ୟ କଲେ ଲୋକଙ୍କର ସେବା ହେବା ସହ ନିଜକୁ ଶାନ୍ତି ମିଳିପାରିବ’? ବାପା କହିଥିଲେ, ‘ଡାକ୍ତରୀ ସେବା’। ବାସ୍ ତା’ପରଠୁ ଡାକ୍ତର ହେବାର ସ୍ବପ୍ନ ଦେଖିଲି। ଆଉ ଯେବେ ଡାକ୍ତର ଭାବେ ପ୍ରଥମ ପୋଷ୍ଟିଂ ଏଠି ପାଇଲି; ରାସ୍ତାଘାଟର ଅସୁବିଧା, ଇଲେକ୍ଟ୍ରିସିଟି ଓ ମୋବାଇଲ୍ ନେଟଓ୍ବର୍କର ପ୍ରୋବ୍ଲେମ୍ କଥା ଜାଣି ପ୍ରଥମେ ପ୍ରଥମେ ମୋତେ ଜମା ଭଲ ଲାଗୁ ନ ଥିଲା। କିନ୍ତୁ ପରେ ଯେବେ ଅନୁଭବ କଲି ସ୍ଥାନୀୟ ଲୋକେ ମୋଠାରୁ ବି ଆହୁରି ଅସୁବିଧାରେ ଅଛନ୍ତି, ସେମାନେ ଅନ୍ଧବିଶ୍ୱାସର ଶିକାର ହୋଇ ଡାକ୍ତରଖାନା ଆସୁନାହାନ୍ତି କି ସେମାନଙ୍କୁ ଠିକ୍ ସ୍ବାସ୍ଥ୍ୟ ଚିକିତ୍ସା ମିଳିପାରୁନି, ଚିକିତ୍ସା ଅଭାବରୁ ବହୁ ଗର୍ଭବତୀ ତଥା ନବଜାତ ଶିଶୁଙ୍କର ମୃତ୍ୟୁ ହେଉଛି ଇତ୍ୟାଦି ଘଟଣା ମୋତେ ଦୋହଲାଇ ଦେଲା। ବାସ୍ ତା’ପରଠୁ ମୁଁ ମୋ ନିଜସ୍ବ ଉଦ୍ୟମରେ କିଛି ଔଷଧ ସାଙ୍ଗରେ ନେଇ ବିଭିନ୍ନ ଗାଁକୁ ଯାଇ ସେଠାକାର ଲୋକଙ୍କୁ ବୁଝାଶୁଝା କଲି। ଯେହେତୁ ଏଠାକାର ଲୋକେ ବେଶି ଶାରୀରିକ ପରିଶ୍ରମ କରନ୍ତି, ସେଥିପାଇଁ ସେମାନଙ୍କର ଗୋଡ଼ ହାତ ବିନ୍ଧାବିନ୍ଧି ହେବାର ସମସ୍ୟା ଥାଏ। ତେଣୁ ସେମାନଙ୍କୁ ପେନ୍କିଲର୍ ସାଙ୍ଗକୁ ମଲ୍ଟି ଭିଟାମିନ୍ସ ଆଦି ଦେଲି। ତା’ପରେ କେତେଜଣ ଗର୍ଭବତୀଙ୍କର ସୁରକ୍ଷିତ ପ୍ରସବ କରିବା ପରେ ମୋ ଉପରେ ସେମାନଙ୍କର ବିଶ୍ୱାସ ଆସିଲା। କ୍ରମେ ଧୀରେ ଧୀରେ ମେଡିକାଲ୍କୁ ରୋଗୀଙ୍କ ଆସିବା ସଂଖ୍ୟା ବଢ଼ିଲା। ବାସ୍ ତା’ପରଠୁ ଆଜିଯାଏ ଆଉ କିଛି ଅସୁବିଧା ହୋଇନି। ଅବଶ୍ୟ ପ୍ରଥମେ ସ୍ଥାନୀୟ ଲୋକଙ୍କ ଭାଷା ବୁଝିବାରେ ଟିକେ ଅସୁବିଧା ହେଉଥିଲା, ଏବେ କିନ୍ତୁ ମୁଁ ପ୍ରାୟ ସେମାନଙ୍କ ଭାଷା ବୁଝିପାରୁଛି। ସେମାନଙ୍କ ସୁବିଧା ପାଇଁ ଏଠି ଆମ୍ବୁଲାନ୍ସର ବ୍ୟବସ୍ଥା ବି ହେଲାଣି। ଯଦି କିଛି ଗୁରୁତର କେସ୍ ରହୁଛି, ତା’ହେଲେ ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଖଇରପୁଟଠାରେ ଥିବା ବଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଯାଉଛି। ତା’ସହିତ ସରକାରୀ ସ୍ତରରେ ହେଉ ଅବା ଏନ୍ଜିଓ ଗ୍ରୁପ୍ ଜରିଆରେ ମଝିରେ ମଝିରେ ନିକଟସ୍ଥ ଗାଁମାନଙ୍କରେ ମାଗଣା ସ୍ବାସ୍ଥ୍ୟ ଶିବିରମାନ ପକାଇ ଲୋକମାନଙ୍କ ଭିତରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ବି କରାଯାଉଛି। କହିବାକୁ ଗଲେ ଏବେ ସ୍ଥାନୀୟ ଲୋକେ ମୋତେ ଖୁବ୍ ବିଶ୍ୱାସ କରିଯାଇଛନ୍ତି। ଯଦି କୌଣସି କାର୍ଯ୍ୟରେ ମୁଁ କୁଆଡ଼େ ବାହାରକୁ ଯାଇଛି ତାହେଲେ ସେମାନେ ମୋତେ ଡାକ୍ତରଖାନାରେ ଖୋଜି ଅପେକ୍ଷା କରି ରହୁଛନ୍ତି। ସେମାନଙ୍କ ଭିତରେ ଏ ପରିବର୍ତ୍ତନ ଦେଖି ଖୁସି ଲାଗୁଛି। ଏହି ସଫଳ କାର୍ଯ୍ୟରେ ମୋତେ ପୂର୍ଣ୍ଣ ସହଯୋଗ ଯୋଗାଇ ଆସିଛନ୍ତି ଡାକ୍ତରଖାନାର ସମସ୍ତ କର୍ମଚାରୀ ଓ ମୋ ଧର୍ମପତ୍ନୀ ଶ୍ରୀୟଙ୍କା ମିଶ୍ର। ଶ୍ରୀୟଙ୍କା ଏମ୍ବିଏ ପାସ୍ କରି ଚାକିରି କରିବାର ମୋହ ଛାଡ଼ି ମୋ ସହିତ ଏଠି ରହି ଲୋକଙ୍କ ସେବା କରିବାରେ ବହୁତ ଖୁସି ଅନୁଭବ କରୁଛନ୍ତି। ସେଥିପାଇଁ ମୁଁ ତାଙ୍କୁ ନେଇ ବହୁତ ଗର୍ବ ଅନୁଭବ କରେ।“
ସେବା ଓ ଦାନର ଅନ୍ୟନାମ ଡା. ନାରାୟଣୀ
ଜୀବନ କାଳ ମଧ୍ୟରେ ନିଜର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ମହାନ୍ ବ୍ୟକ୍ତିତ୍ୱ ହେଲେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ନାରାୟଣୀ ପଣ୍ଡା। ୧୯୩୭ ମସିହା ନଭେମ୍ବର ୪ ତାରିଖରେ ରାୟଗଡାଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ବାପା ଡା. ଗଙ୍ଗାସାଗର ପଣ୍ଡା ଓ ମାତା ଜନକପ୍ରିୟା ପଣ୍ଡାଙ୍କ ୯ ଝିଅ ଓ ୨ପୁଅଙ୍କ ମଧ୍ୟରୁ ନାରାୟଣୀ ହେଲେ ତୃତୀୟ ସନ୍ତାନ। ପିଲାଟି ଦିନରୁ ପାଠପଢ଼ାରେ ତାଙ୍କର ଖୁବ୍ ରୁଚି ଥିଲା। ସ୍କୁଲରେ ପାଠ ପଢୁଥିବାବେଳେ ଥରେ ତାଙ୍କୁ ଓ ତାଙ୍କର ୪/୫ଜଣ ସାଙ୍ଗକୁ ସେରିବ୍ରାଲ ମ୍ୟାଲେରିଆ ହୋଇଥିଲା। ସମସ୍ତଙ୍କର ଅବସ୍ଥା ଗୁରୁତର ଥିଲା। ସ୍ଥାନୀୟ ଡାକ୍ତରଖାନାରେ ଥିବା ମହିଳା ଡାକ୍ତର ଜଣକ ସାମାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରି ଛାଡ଼ି ଦେଇଥିଲେ। ଏହି ଘଟଣାରେ ତାଙ୍କର ୨ ଜଣ ସାଙ୍ଗଙ୍କ ମୃତ୍ୟୁ ହୋଇଗଲା; ଯାହା କି ନାରାୟଣୀଙ୍କ ମନରେ ଗଭୀର ଆଘାତ ଦେଇଥିଲା। ତା’ସହିତ ସେ ସମୟରେ ଅନେକ ପରିବାରରେ ଝିଅମାନଙ୍କୁ ବିଭିନ୍ନ ପ୍ରକାର କୁତ୍ସାରଟନା କରୁଥିଲେ। ପାଠ ପଢ଼ି ସ୍ବର୍ଗକୁ ଯିବୁ, ପାଠ ପଢ଼ି ଘରକୁ ଟେକିବୁ ଇତ୍ୟାଦି କଥା କହୁଥିଲେ। ସେଥିପାଇଁ ନାରାୟଣୀ ପଣ କରିଥିଲେ, ଭଲ ପାଠ ପଢ଼ିବେ ଆଉ ଡାକ୍ତର ହିଁ ହେବେ। କାରଣ ଡାକ୍ତରୀ ପାଠ ଜନସାଧାରଣଙ୍କ ସେବାକୁ ବୁଝାଏ। ସେଥିପାଇଁ ୧୯୬୩ ମସିହାରେ ସମ୍ବଲପୁର ଡାକ୍ତରଖାନାରେ ସେ ସ୍ତ୍ରୀ ଓ ପ୍ରସୂତି ରୋଗ ଡାକ୍ତର ଭାବେ ଯୋଗଦେଇଥିଲେ। କିନ୍ତୁ ଡାକ୍ତରଖାନା ଅଧିକାରୀଙ୍କ ଅତ୍ୟନ୍ତ ଆକଟ ସହ୍ୟ କରି ନ ପାରି ୧୯୬୫ ମସିହାରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଦେଲେ। ଆଉ କିଛିଦିନ ପରେ ସମ୍ବଲପୁର ମ୍ୟୁନିସିପାଲିଟି ପରିଚାଳିତ ଡାକ୍ତର ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳଠାରେ ଯୋଗଦାନ କଲେ। ମାଆ ଓ ଶିଶୁମାନଙ୍କର ସେବା କରିବାରେ ସେ ଅତ୍ୟନ୍ତ ଆନନ୍ଦିତ ହେଉଥିଲେ। ନିଜ କର୍ତ୍ତବ୍ୟରେ ସେ ଏତେ ମଜ୍ଜିଯାଇଥିଲେ ବିବାହ ପ୍ରତି ମଧ୍ୟ ସେ ମନ ଦେଇ ନ ଥିଲେ। ବହୁ ବିଳମ୍ବରେ ତାଙ୍କର ପ୍ରଶାନ୍ତ କୁମାର ମହାନ୍ତି ନାମକ ରାଜ୍ୟର ଜଣେ ବରିଷ୍ଠ ପତ୍ରକାରଙ୍କ ସହ ବିବାହ ହୋଇଥିଲା। ରୋଗୀ ସେବା ସହ ସ୍ବାମୀଙ୍କ ସହିତ ମିଶି ବିଭିନ୍ନ ଜନହିତକର କାର୍ଯ୍ୟରେ ତାଙ୍କର ସମୟ କଟିଯାଉଥିଲା। କିନ୍ତୁ ଦୁଃଖର ବିଷୟ ସ୍ବାମୀ ବି ଅଧାବାଟରେ ତାଙ୍କୁ ଠକି ଦେଇ ଆରପାରିକୁ ଚାଲିଗଲେ। ବାସ୍ ତା’ପରଠୁ ସେ ରୋଗୀ ସେବା ସହ ନିଜର ଯାହା କିଛି ସମ୍ବଳ ଥିଲା ସବୁକିଛିକୁ ଧୀରେ ଧୀରେ ଦାନ କରିବା ଆରମ୍ଭ କଲେ। ଏ ନେଇ ନାରାୟଣୀ କୁହନ୍ତି, ‘ସ୍ବାମୀଙ୍କ ପରଲୋକ ପରେ ମୁଁ ସଂପୂର୍ଣ୍ଣ ଏକାକୀ ହୋଇଗଲି। ତେଣୁ ସମ୍ପୂର୍ଣ୍ଣ ସମୟ ରୋଗୀ ସେବାରେ ଲଗାଇଦେଲି। ୧୯୯୫ ମସିହାରେ ଚାକିରିରୁ ଅବସର ନେବା ପରେ ନିଜ କ୍ଲିନିକ୍ରେ ମାତ୍ର ୨ଟଙ୍କାରେ ରୋଗୀ ଦେଖିଲି; ଯାହା କି ୨୦୨୨ ମସିହାରେ ୫୦ଟଙ୍କାକୁ ପହଞ୍ଚତ୍ଥିଲା। ବର୍ତ୍ତମାନ ମୋତେ ପ୍ରାୟ ୮୬ ବର୍ଷ ବୟସ ହେଲାଣି, ଆଉ ରୋଗୀ ଦେଖିପାରୁନି। କିନ୍ତୁ ମୁଁ ୮୪ ବର୍ଷ ବୟସ ପର୍ଯ୍ୟନ୍ତ ରୋଗୀଙ୍କ ସେବା କରିଥିବାରୁ ବହୁତ ଖୁସି। ଆଉ ଯେଉଁ ଦାନଧର୍ମ କଥା କୁହାଯାଉଛି ତା’ପଛରେ ବି ଗୋଟେ କାରଣ ଅଛି। ସ୍ବାମୀ ଯିବା ପରେ ଗୋଟିଏ ଦିନ ରାତିରେ ଶୋଇଥିବା ସମୟରେ ଅତୀତ କଥାଗୁଡ଼ିକ ମନେପଡ଼ିଲା। ସେଥିମଧ୍ୟରୁ ଗଙ୍ଗାଧର ମେହେର କଲେଜ ବିଷୟ ମନକୁ ଆନ୍ଦୋଳିତ କରିଥିଲା। ଗଙ୍ଗାଧର ମେହେର କଲେଜରୁ ପଢ଼ିବା ପରେ କଟକ ରେଭେନ୍ସା କଲେଜରେ ବି.ଏସ୍ସି. ପଢ଼ିବାକୁ ଯାଇଥିଲି। ସେହି ସମୟରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲକୁ ଅଧିକ କିଛି ପଢିବାକୁ ଯାଉଥିଲି। ସେଇଠୁ ଜାଣିଲି ଡାକ୍ତରୀ ଛାତ୍ରୀଛାତ୍ରମାନେ ୩୫ଟଙ୍କା ବୃତ୍ତି ପାଉଛନ୍ତି। ସେହିଦିନଠାରୁ ପାଠ ପଢ଼ି ଶ୍ରେଷ୍ଠତ୍ୱ ହାସଲ କରିବି ବୋଲି ପଣ କରି ସଫଳତା ପାଇଥିଲି। ୧୯୫୬-୫୭ ଶିକ୍ଷାବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବାୟୋଲୋଜି ବିଷୟରେ ମୋର ମାର୍କ ଶୀର୍ଷରେ ଥିଲା। ଏହାକୁ ଦୃଷ୍ଟିରେ ରଖି ଡାକ୍ତରୀ ପାଠ ପଢ଼ିବାକୁ ମୋତେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲରୁ ୧-ନମ୍ବରରେ ଡାକରା ଆସିଥିଲା। ସେହି ସମୟରେ ନାମ ଲେଖାଇବା ମଧ୍ୟ କାଠିକରପାଠ ଥିଲା। କିନ୍ତୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଗଙ୍ଗାଧର ମେହେର କଲେଜ ଟ୍ରଷ୍ଟ ଫଣ୍ଡରୁ ୨୫ଟଙ୍କା ଦେଇଥିଲେ। ଏଥିରେ ତତ୍କାଳୀନ ଅଧ୍ୟକ୍ଷ ମାୟାଧର ମାନସିଂ, ଇନଚାର୍ଚ୍ଚ ପ୍ରଫେସର ଦୁର୍ଗା ପ୍ରସାଦ ନାୟକ ଓ ସୈରେନ୍ଦ୍ରୀ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏପରି ଟ୍ରଷ୍ଟଫଣ୍ଡରୁ ୨୫ଟଙ୍କା, ମେଧାବୀ ବୃତ୍ତି ୩୫ଟଙ୍କା ଓ ବାପାଙ୍କ ୫୦ ଟଙ୍କାରେ ଡାକ୍ତରୀ ପାଠ ପଢ଼ିଲି। ଅନେକ ଦିନରୁ ଗଙ୍ଗାଧର ମେହେର କଲେଜକୁ କିଛି ଅର୍ଥ ଦେବାକୁ ବାକି ଥିଲା। କିନ୍ତୁ ଦେଇ ପାରି ନ ଥିଲି। ସ୍ବାମୀଙ୍କ ଅନ୍ତେ ରକ୍ଷଣାବେକ୍ଷଣ ଅଭାବରୁ ସମ୍ବଲପୁର ଜିଲା ମାଝିପାଲିସ୍ଥିତ ଫାର୍ମ ହାସଉକୁ ବିକ୍ରି କରିଦେଲି। ସେଥିରୁ ମିଳିଥିବା ଅର୍ଥରୁ ଗଙ୍ଗାଧର ମେହେର କଲେଜ (ବର୍ତ୍ତମାନର ବିଶ୍ୱବିଦ୍ୟାଳୟ)କୁ ୩୦ଲକ୍ଷ ଟଙ୍କା ପ୍ରଦାନ କଲି। ଏହି ଟଙ୍କାରେ ଗରିବ ଓ ମେଧାବୀ ଛାତ୍ରୀଛାତ୍ରମାନେ ଯେମିତି ମୁକ୍ତଭାବେ କମ୍ପ୍ୟୁଟର ପାଠ ପଢ଼ିପାରିବେ ସେଥିପାଇଁ ୧୦୦ଟି ଅତ୍ୟାଧୁନିକ କମ୍ପ୍ୟୁଟର କିଣାହେଲା। ଏହାପରେ ପର୍ଯ୍ୟାୟକ୍ରମେ ସମ୍ବଲପୁରସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟକୁ ୨୫ ଲକ୍ଷ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟକୁ ୧୫ ଲକ୍ଷ, ଲୋକସେବକ ମଣ୍ଡଳକୁ ୩୫ ଲକ୍ଷ ମଧ୍ୟ ଦେଇଦେଲି। ତେବେ ଏହି ୩୫ ଲକ୍ଷ ଟଙ୍କାର ସୁଧରେ ଚଳିତ ଏପ୍ରିଲ୍ ମାସ ୨୦୨୪ରୁ ଗରିବ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ବୃତ୍ତି ପ୍ରଦାନ କରାଯିବାର ଯୋଜନା ରହିଛି। ଏତଦ୍ବ୍ୟତୀତ ସମ୍ବଲପୁର ଜିଲା ସାମ୍ବାଦିକ ସଂଘକୁ ପ୍ରଶାନ୍ତ କୁମାର ମହାନ୍ତି ସ୍ମାରକୀ ହଲ, ପବ୍ଲିକ ଲାଇବ୍ରେରୀ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ରୋଟାରୀ ଡାକ୍ତରଖାନା ସମେତ ଅନେକ ଛୋଟବଡ଼ ଅନୁଷ୍ଠାନକୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ପ୍ରଦାନ କରିଦେଇଛି। ସେହିପରି ସମ୍ବଲପୁର ସହର ଭୁତାପଡ଼ାସ୍ଥିତ ୮ଡିସିମିଲ ପରିମିତ କୋଠା(ଯାହାର ମୂଲ୍ୟ ୧କୋଟି ୫୦ଲକ୍ଷରୁ ଊଦ୍ଧର୍ବ ହେବ)କୁ ସରକାରୀ ମହିଳା ମହାବିଦ୍ୟାଳୟକୁ ମଧ୍ୟ ଦାନ କରି ଦେଇଛି। ବର୍ତ୍ତମାନ ମୁଁ ଏହି କୋଠାରେ ରହୁଛି। ମୋ ଅନ୍ତେ ଏହି କୋଠାରେ ଗରିବ ମେଧାବୀ ଛାତ୍ରୀମାନେ ରହିପାରିବେ। ଚଳିତ ବର୍ଷ ମହିଳା ମହାବିଦ୍ୟାଳୟରେ ଅନେକ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଛି; ଯଦ୍ଦ୍ବାରା ହଷ୍ଟେଲରେ ସ୍ଥାନାଭାବ ରହିଛି। ଅନେକ ଛାତ୍ରୀ ହଷ୍ଟେଲ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ମୁଁ ମୋ ଉପର ମହଲା ତାଙ୍କୁ ଦେଇ ସାରିଛି। ବର୍ତ୍ତମାନ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀ ସେଠାରେ ରହୁଛନ୍ତି। ସେମାନଙ୍କ ପାଠ ପଢ଼ା ଶୁଣି ମନରେ ଆନନ୍ଦ ଭରିଯାଉଛି। ମୁଁ ଭାବେ ଏହା ଦାନ ନୁହେଁ ବରଂ ପୁଣ୍ୟ।’
ସେବା ଓ ମମତାର ଅନ୍ୟନାମ ଡା.ଶଙ୍କର
ଏକ ଟଙ୍କିଆ କ୍ଲିନିକ, ଏକ ଟଙ୍କିଆ ଔଷଧ, ଜୁନାପାଣି କୁଷ୍ଠ କଲୋନୀକୁ ପୌଷ୍ୟ ଗ୍ରହଣ, କୁଷ୍ଠ ରୋଗୀଙ୍କୁ ବୋହି ରାସ୍ତା ପାରି କରିବା, କୁଷ୍ଠ ରୋଗୀମାନଙ୍କ ସହିତ ଜନ୍ମଦିନ ପାଳନ କରିବା, ବାଛ ବିଚାର ନ କରି କୁଷ୍ଠ ରୋଗୀଙ୍କ ସହିତ ଏକାଠି ବସି ଭୋଜନ କରିବା ଆଦି କାର୍ଯ୍ୟ ଯିଏ ହସି ହସି କରିଥାନ୍ତି ସେ ହେଲେ ଡା. ଶଙ୍କର ରାମଚନ୍ଦାନୀ ା ଏହି ସମସ୍ତ କାର୍ଯ୍ୟ ସହ ବର୍ତ୍ତମାନ ତାଙ୍କର ଆଉ କେତେକ ମହତ୍ କାର୍ଯ୍ୟ ମଧ୍ୟ ଯୋଡ଼ି ହୋଇଛି; ଯେମିତି କି ଏକ ଟଙ୍କିଆ ଇସିଜି ପରୀକ୍ଷା, ଆଜମା ରୋଗୀଙ୍କ ସକାଶେ ନିବୁଲାଇଜେସନ ଓ ଗରିବ ରଥ ସେବା ଇତ୍ୟାଦି। ଡା. ଶଙ୍କର ବରଗଡ଼ ଜିଲା ପଦମପୁରଠାରେ ୧୯୮୨ ମସିହା ଏପ୍ରିଲ ୪ତାରିଖ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲା ା ମାଆ ରାଜବନ୍ତି ଓ ବାପା ସ୍ବର୍ଗତ ବ୍ରଦ୍ମାନନ୍ଦ ରାମଚନ୍ଦାନୀଙ୍କ ପାଞ୍ଚ ପୁଅ ଓ ଚାରି ଝିଅଙ୍କ ମଧ୍ୟରୁ ଶଙ୍କର ହେଲେ ଜଣେ। ଭାଇଙ୍କ ମଧ୍ୟରେ ସେ ସବା ସାନ। ଯୌଥ ପରିବାରରେ ବଡ଼ ହୋଇଥିବାରୁ ଛୋଟବେଳୁ ଶଙ୍କର ବିଭିନ୍ନ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଥିଲେ। କିନ୍ତୁ ମେଧାବୀ ଛାତ୍ର ଥିଲେ। ୨୦୦୪ରେ ଡାକ୍ତରୀ ପାଠ ପଢ଼ା ଶେଷ ପରେ ଦୁଇ ବର୍ଷ ନିଯୁକ୍ତିଭିତ୍ତିକ ଡାକ୍ତର ଭାବେ କାର୍ଯ୍ୟ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଆଜକୁ ୫ ବର୍ଷ ହେବ ସେ ସମ୍ବଲପୁର ବୁର୍ଲା ମେଡିକାଲରେ କାମ କରୁଛନ୍ତି। ବର୍ତ୍ତମାନ ସେ ବୁର୍ଲା ମେଡିକାଲରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟରତ। ରୋଗୀ ସେବାକୁ ନେଇ ଡା.ଶଙ୍କର କୁହନ୍ତି, ‘ରୋଗୀ ସେବା ହେଉଛି ଜଣେ ଡାକ୍ତରଙ୍କ ପ୍ରଥମ କର୍ତ୍ତବ୍ୟ। ମୁଁ ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭିମସାରରେ କର୍ତ୍ତବ୍ୟ ସଂପାଦନା କରିଥାଏ। ତା’ପରେ ସନ୍ଧ୍ୟା ୬ଟାରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଏକ ଟଙ୍କିଆ କ୍ଲିନିକରେ ଗରିବ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରେ। ଏକ ଟଙ୍କିଆ କ୍ଲିନିକ ଖୋଲିବାରେ ଅତୀତର ସ୍ମୃତିଜଡ଼ିତ ହୋଇ ରହିଛି। ଅଜା ଲକ୍ଷ୍ମଣ ଓ କାକା ପ୍ରକାଶ କର୍କଟ ରୋଗରେ ପୀଡିତ ଥିଲେ। ଅର୍ଥ ଅଭାବରୁ ଅଜା ଓ କକାଙ୍କ ଚିକିତ୍ସା କରିବା ଲାଗି ମୋର ବାପାଙ୍କ ପାଖରେ ଅର୍ଥ ନ ଥିଲା; ଯଦ୍ଦ୍ବାରା ଅଜା ଓ କକାଙ୍କ ପରଲୋକ ହୋଇଗଲା। ସେହି ଦିନରୁ ବାପା ଆମ୍ଭମାନଙ୍କୁ ଡାକ୍ତରୀ ପାଠ ପଢ଼ାଇବାକୁ ପଣ ନେଇଥିଲେ। ପାଞ୍ଚ ଭାଇରୁ ମୁଁ ଓ ମୋର ବଡ଼ ଭାଇ ଡାକ୍ତରୀ ପାଠ ପଢ଼ିବାରେ ସଫଳତା ହାସଲ କଲୁ। କିନ୍ତୁ ପଦ୍ମପୁର ସହରରେ ନର୍ସିଂ ହୋମ ଖୋଲିବାକୁ ଆମର ସମ୍ବଳ ନ ଥିଲା। ସେଥିପାଇଁ ସେବା ମନୋଭାବ ନେଇ ୨୦୨୧ ମସିହା ଫେବୃୟାରୀ ୧୨ ତାରିଖରେ ଏକ ଟଙ୍କିଆ କ୍ଲିନିକର ଶୁଭାରମ୍ଭ କରିଥିଲି। ବର୍ତ୍ତମାନ ସୁଦ୍ଧା ୫୦ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଏହାର ସୁବିଧା ନେଇସାରିଲେଣି। ଏତଦ୍ବ୍ୟତୀତ ପ୍ରତି ମାସରେ ଦୁଇ ଦିନ ଛୁଟି ନେଇ ପଦ୍ମପୁରରେ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଉଛି। ୨୦୨୩ ମସିହା ଫେବୃୟାରୀରୁ ନିଜ କାର୍ଟିକୁ ଆମ୍ବୁଲାନ୍ସରେ ପରିଣତ କରିଛି; ଯାହାକି ଜୁନାପାଣି ଲେପର୍ସି କଲୋନୀରେ ରହୁଛି। ସେହିପରି ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଗରିବ ରଥର ଶୁଭାରମ୍ଭ ହୋଇଛି। ଗ୍ରାମାଞ୍ଚଳର ଯେଉଁ ଦୁଃସ୍ଥ ଓ ଗରିବ ଜନସାଧାରଣ ଆର୍ଥିକ ସମସ୍ୟା ଯୋଗୁ ଟଙ୍କିକିଆ କ୍ଲିନିକ ଆସି ପାରୁନାହାନ୍ତି, ସେମାନଙ୍କୁ ଏକଟଙ୍କିଆ ଗରିବ ରଥ ସେବା ପ୍ରଦାନ କରାଯାଉଛି। ଏଥିସହ ସୋମବାର ଭୀମ୍ସାରକୁ ମଧ୍ୟ ଅଣାଯାଇ ଆଉଟ୍ଡୋରରେ ମୁଁ ସେବା ପ୍ରଦାନ କରୁଛି। ସେହିପରି ଇସିଜି ପରୀକ୍ଷା କରିବା ସକାଶେ ଅନେକ ରୋଗୀଙ୍କ ପାଖରେ ଟଙ୍କା ନ ଥିବା ଅନୁଭବ କରି ୨୦୨୪ ଫେବୃୟାରୀ ୧୨ ତାରିଖରୁ ଇସିଜି ଓ ନ୍ୟୁବିଲାଇଜର ସେବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ପ୍ରାୟ ୧୦୩ ଜଣଙ୍କୁ ଇସିଜି ଓ ପ୍ରାୟ ୨୧୩ ଜଣଙ୍କୁ ନ୍ୟୁବିଲାଇଜେଶନ ସେବା ପ୍ରଦାନ କରାଯାଇଛି। ମୋ ମତରେ ରାଜ୍ୟ ସରକାର ଆମ ଡାକ୍ତରମାନଙ୍କୁ ଚଳିବାକୁ ଯଥେଷ୍ଟ ଦରମା ଦେଉଛନ୍ତି, ଯଦି ସେଥିରୁ ଆମେ ସାମାନ୍ୟ ଖର୍ଚ୍ଚ କରି କିଛି ଗରିବ ଶ୍ରେଣୀର ଲୋକଙ୍କୁ ସେବା ପ୍ରଦାନ କରିପାରିବା ତା’ହେଲେ କ୍ଷତି କ’ଣ।’ ତାଙ୍କର ଏହି ମହତ୍ ଚିନ୍ତାଧାରାକୁ ଯଥେଷ୍ଟ ସମ୍ମାନ ଦେଇ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଯିଏ ସାହାଯ୍ୟ କରୁଛନ୍ତି ସେ ହେଲେ ତାଙ୍କ ଧମପତ୍ନୀ ଡାକ୍ତର ଶିଖା ରାମଚନ୍ଦାନୀ। ପତ୍ନୀଙ୍କ ପ୍ରେରଣା ଓ ଦୁଇ ଯାଆଁଳା ଝିଅ ରିଦ୍ଧି ଓ ରିଆଂଶିଙ୍କ ସ୍ନେହଆଦରରେ ବାନ୍ଧି ହୋଇ ନିଜ ଜୀବନକୁ ଏମିତି ରୋଗୀ ସେବାରେ ବିତାଇଦେବାକୁ ପଣ କରିଥିବା ଡା.ଶଙ୍କର ଅନ୍ୟମାନଙ୍କ ପାଇଁ ଜଣେ ପ୍ରେରଣା।
ସମାଜସେବୀ ଚିକିତ୍ସକ ଡା. ଶିିଶିର
ଆମ ସମାଜରେ ଏମିତି କିଛି ବ୍ୟକ୍ତି ଅଛନ୍ତି; ଯେଉଁମାନେ ନିଜର ନିଃସ୍ବାର୍ଥପର ସେବା ନିମନ୍ତେ ଜନସାଧାରଣଙ୍କଠାରେ ବିଶେଷ ଭାବରେ ଆଦୃତ ହୋଇପାରିଛନ୍ତି। ସେମିତି ଜଣେ ହେଲେ ଡା. ଶିଶିର କୁମାର ସାହୁ। ଏହି ଜନପ୍ରିୟ ଡାକ୍ତରଙ୍କ ଜନ୍ମ ସୁନ୍ଦରଗଡ଼ ଜିଲାର କୁଣ୍ଡୁରୁକେଲା ଠାରେ ୧୯୪୪ ମସିହାରେ ହୋଇଥିଲା। ବାପା ଅଭିମନ୍ୟୁ ସାହୁ ଏବଂ ମାତା ତାରା ଦେବୀ। ପିଲାଟି ଦିନରୁ ସେ ଖୁବ୍ ମେଧାବୀ ଥିଲେ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଡାକ୍ତରୀ ପାଠ ଶେଷ କରି ୧୯୬୮ ମସିହାରେ ବରଗଡ଼ସ୍ଥିତ ସରକାରୀ ଚିକିତ୍ସାଳୟରେ ଯୋଗ ଦେଇଥିଲେ। ବରଗଡ଼ ଡାକ୍ତରଖାନା ପରେ ସେ ବିଜେପୁର, ସୋହେଲାରେ କିଛି ବର୍ଷ ରୋଗୀ ସେବା କରି ୨୦୦୨ରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଚାକିରିରୁ ଅବସର ନେଇଥିଲେ। ଅବସର ପରେ ମଧ୍ୟ ଆଜିଯାଏଁ ସୋହେଲାରେ ସେ ସ୍ବାଭାବିକ ଭାବେ ରୋଗୀ ସେବା କରିଆସୁଛନ୍ତି। ମୁଖ୍ୟ କଥା ହେଲା, ଡା. ଶିଶିର ମାତ୍ର ୧୦ ଟଙ୍କା ମୂଲ୍ୟରେ (ବାଧ୍ୟତାମୂଳକ ନୁହେଁ) ରୋଗୀ ସେବା ପ୍ରଦାନ କରିଥାନ୍ତି। ତାଙ୍କର ଆଶ୍ୱସନାମୂଳକ କଥା ରୋଗୀଙ୍କ ମନୋବଳକୁ ବଢ଼ାଇଦିଏ। ଦରକାର ପଡ଼ିଲେ ସେ ରୋଗୀଙ୍କୁ ମାଗଣା ଔଷଧ ସହ ଆର୍ଥିକ ସହାୟତା ମଧ୍ୟ ଦେଇଥାନ୍ତି। କମ୍ ମୂଲ୍ୟରେ ଚିକିତ୍ସା ହେଉଥିବାରୁ ରୋଗୀମାନେ ତାଙ୍କୁ ଦେବତା ତୁଲ୍ୟ ଶ୍ରଦ୍ଧା କରିଥାନ୍ତି। ଡାକ୍ତର ସାହୁଙ୍କ ଅମାୟିକ ବ୍ୟବହାର ହିଁ ତାଙ୍କର ଲୋକପ୍ରିୟତାର ମୁଖ୍ୟ କାରଣ। ସୋହେଲାଠାରେ ବିଶେଷଜ୍ଞ ଡାକ୍ତର ଥିବା ସତ୍ତ୍ୱେ ବରପାଲି, ବିଜେପୁର ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବି ବହୁ ରୋଗୀ ଚିକିତ୍ସା ପାଇଁ ତାଙ୍କ କ୍ଲିନିକ୍କୁ ଆସିଥାନ୍ତି। ତାଙ୍କର ଏହି ସ୍ବାସ୍ଥ୍ୟସେବା ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲେ। ସବୁଠାରୁ ବଡ଼ କଥା ହେଲା ଏତେ ବୟସରେ ବି ରାତିରେ ରୋଗୀଙ୍କୁ ସେବା ଯୋଗାଇଥାନ୍ତି। ସୁଦୂର ସମ୍ବଲପୁର, ସୋନପୁରରୁ ବହୁ ସାପ କାମୁଡ଼ା ରୋଗୀ ଆସି ଏହି ସ୍ଥାନରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି। କେବଳ ରୋଗୀ ସେବା ନୁହେଁ ଉକ୍ତ ଅଞ୍ଚଳର ଶିକ୍ଷାର ବିକାଶ ଦିଗରେ ବି ସେ ସର୍ବଦା ତପତ୍ର ଥାନ୍ତି। ସେ ସୋହେଲାଠାରେ ଗଣିତ ଅଲମ୍ପିୟାଡ୍ ଆରମ୍ଭ କରିଥିଲେ। ସୋହେଲାଠାରେ ଗଢି ଉଠିଥିବା ଧନ୍ଦାମୂଳକ ଶିକ୍ଷାର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ସମ୍ପାଦନ କରିଥିଲେ। ଏହିପରି ଭାବରେ ଏହି ଅଞ୍ଚଳର ଛାତ୍ରୀଛାତ୍ର ମାନଙ୍କୁ ମାର୍ଗଦର୍ଶନ ଦେବା ସହ ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ଆର୍ଥତ୍କ ସହଯୋଗ ବି କରି ଆସୁଛନ୍ତି। ଏପରି କି ନିଜ ମାମୁ ଘର ଗ୍ରାମ ଉଲ୍ବାଠାରେ ଥିବା ଗାଁ ବିଦ୍ୟାଳୟକୁ ନିଜ ପିତାମାତାଙ୍କ ସ୍ମୃତିରେ ଜମିଦାନ ମଧ୍ୟ କରିଛନ୍ତି। ସେହିପରି ସୋହେଲା ନିକଟରେ ଥିବା ସାହାଜବାହାଲ ଗ୍ରାମଠାରେ ସ୍ଥାପିତ ପ୍ରଭାତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଭାବରେ ୧୫ବର୍ଷ ଧରି ମାଗଣା ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇ ଆସୁଛନ୍ତି। ଓଡ଼ିଶା ମଦମୁକ୍ତି ଆନ୍ଦୋଳନ ବରଗଡ଼ ଜିଲା ସଭାପତି ଦାୟିତ୍ୱ ମଧ୍ୟ ନେଇଥିଲେ। ସୋହେଲା ଧନ୍ବନ୍ତରୀ ଭେଷଜ ସମିତିର ଉପଦେଷ୍ଟା ମଣ୍ଡଳୀର ସଭାପତି ଭାବରେ ରହି ବୈଦ୍ୟମାନଙ୍କୁ ବିଭିନ୍ନ ଚିକିତ୍ସା ଶିକ୍ଷା ଦେଇ ଆସୁଛନ୍ତି। ଏହାସହ ସେ ପାଣିମୋରା ସଂଗ୍ରାମୀମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ମାଗଣା ଚିକିତ୍ସା ଯୋଗାଇବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ମଧ୍ୟ କରି ଆସୁଛନ୍ତି। ଏଥିସହିତ ତାଙ୍କର କ୍ରୀଡ଼ା ଓ ସାହିତ୍ୟ କ୍ଷେତ୍ରରେ ମଧ୍ୟ ବିଶେଷ ରୁଚି ରହିଥିବାରୁ ସେ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ଅଛନ୍ତି। ତେବେ ଡା. ଶିଶିରଙ୍କର ଏହି ଜନସେବା କାର୍ଯ୍ୟରେ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରରେଖା ସାହୁ ବଞ୍ଚତ୍ଥିବା ଯାଏଁ ସବୁବେଳେ ସାହାଯ୍ୟ ସହଯୋଗ କରି ଆସୁଥିଲେ। ସେଥିପାଇଁ ଡା. ଶିଶିର ତାଙ୍କ ପତ୍ନୀଙ୍କର ସେହି ବଦାନ୍ୟତାକୁ ଆଜି ବି ଝୁରି ହେବା ସହ ରୋଗୀ ସେବାକୁ ସେମିତି ଜାରି ରଖିଛନ୍ତି।
କେବଳ ଏମାନେ ନୁହନ୍ତି, ଏମାନଙ୍କ ପରି ଆହୁରି ଅନେକ ଡାକ୍ତର ଆମ ସମାଜରେ ଅଛନ୍ତି; ଯେଉଁମାନଙ୍କ ନିଃସ୍ବାର୍ଥପର ରୋଗୀ ସେବା ତାଙ୍କୁ ଦ୍ୱିତୀୟ ଈଶ୍ୱରର ଆଖ୍ୟା ଦେଇଛି।
-ଅମ୍ବ୍ରିତା ମିଶ୍ର
ସହାୟତା: ଦୁର୍ଯ୍ୟୋଧନ ପାତ୍ର, ବି. ଶଙ୍କର, ଅଶ୍ୱିନୀ ପାତ୍ର