ଆଜି ସୁଭଦ୍ରାର ଦ୍ୱିତୀୟ କିସ୍ତି: ୧କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା

ଭୁବନେଶ୍ୱର, (ବନ୍ଦନା ସେଠୀ)/ ଛତ୍ରପୁର, ୮ା୩ (ସନ୍ତୋଷ ପାଢ଼ୀ):ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶନିବାର ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା। ପାଞ୍ଚଟି ପର୍ଯ୍ୟାୟରେ ମୋଟ ୧କୋଟି ୬୪ ହଜାର ମହିଳା ପ୍ରଥମ କିସ୍ତି ପାଇଥିବାବେଳେ ଶନିବାର ଗୋଟିଏ ଦିନରେ ସମସ୍ତ ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ଟଙ୍କା ଯିବ। ଗଞ୍ଜାମ ଜିଲାର ବ୍ରହ୍ମପୁର ବିବେକ ବିହାରଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଦ୍ୱିତୀୟ କିସ୍ତିର ଶୁଭାରମ୍ଭ କରିବେ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ, ପ୍ରାଣୀ ସମ୍ପଦ ଉନ୍ନୟନ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ଏମ୍‌ପି ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ଏମ୍‌ପି ଅନୀତା ଶୁଭଦର୍ଶିନୀଙ୍କ ସହ ଜିଲାର ସମସ୍ତ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ମୋଟ୍‌ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି ୮ଲକ୍ଷ ଥିବାବେଳେ ମାର୍ଚ୍ଚ ୩୧ ଯାଏ ଆବେଦନ କରିଥିବା ଅବଶିଷ୍ଟ ହିତାଧିକାରୀଙ୍କୁ ସର୍ଭେ କରି ସରକାର ସାମିଲ କରିବେ। ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି କିସ୍ତି ଅର୍ଥାତ୍‌ ୧୫ହଜାର ଟଙ୍କା ମିଳିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଶୁକ୍ରବାର ସନ୍ଧ୍ୟାରେ ପ୍ରତି ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଥିଲେ। ଗୋଟିଏ ଘରେ ଯେତେ ଜଣ ସୁଭଦ୍ରା ହିତାଧିକାରୀ ଥିବେ ସମସ୍ତେ ଗୋଟିଏ ଗୋଟିଏ ଦୀପ ଜାଳିବାକୁ କହିଥିଲେ। ସେହି ଅନୁସାରେ ସୁଭଦ୍ରା ମହିଳାମାନେ ଦୀପ ଜାଳିଥିବା ସୂଚନା ମିଳିଛି।

Share