କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ପ୍ରାତଃକାଳରରୁ ହିଁ ବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା। ଭକ୍ତମାନେ ପାହାଚ ଚଢି କିମ୍ବା ଘାଟି ରାସ୍ତାରେ ଯାଇ ବୁଦ୍ଧଖୋଲ ପାହାଡ଼ ଉପରିସ୍ଥ ପଞ୍ଚଶମ୍ଭୁଙ୍କ ଦର୍ଶନ ଲାଭ କରିଥିଲେ।

ଅନ୍ୟପକ୍ଷରେ ବୁଦ୍ଧଖୋଲ ପାଦଦେଶର ବିଭିନ୍ନ ସ୍ଥାନରେ ଲୋକେ ରୋଷେଇ କରି ଭୋଜିଭାତ ଆସର ଜମେଇ ମେଘୁଆ ପାଗର ମଜା ନେଉଥିବା ବେଳେ ହଠାତ୍‌ ମଧ୍ୟାହ୍ନରେ ଅସରାଏ ବର୍ଷା ହେବାରୁ ସମସ୍ତଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡିଥିଲା। ବର୍ଷା ପୂରାପୂରି ଥମିଯିବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲେ ବି ବୁଦ୍ଧଖୋଲ ଅଭିମୁଖେ ଶ୍ରଦ୍ଧାଳୁଙ୍କ ଯାତ୍ରାରେ ହ୍ରାସ ଘଟିଥିଲା। ତେବେ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଭକ୍ତଙ୍କ ଠାକୁର ଦର୍ଶନ ସାଙ୍ଗକୁ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଯାନବାହାନ ରହଣିର ସୁବନ୍ଦୋବସ୍ତ କରାଯାଇଥିଲା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ନିୟୋଜିତ ରହିଥିଲେ।

Share