Categories: ଜାତୀୟ

ଦେଶରେ ଦ୍ୱିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୯ା୯(ଅନୁରାଧା ମହାରଣା):ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳର ମାଲାପୁରାମରେ ଚିକିତ୍ସିତ ହେଉଥିବା ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତି ଏଥିରେ ସଂକ୍ରମିତ ଥିବା ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନମୁନା ଟେଷ୍ଟ କରାଯିବା ପରେ ବୁଧବାର ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ସ୍ଥାନୀୟ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ରୋଗୀ ଜଣକ ନିକଟରେ ଦୁବାଇରୁ କେରଳ ଫେରିଥିଲେ। ଅସୁସ୍ଥ ହେବା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ କୋଜିକୋଡ୍ଡ ହସ୍ପିଟାଲକୁ ଟେଷ୍ଟ ପାଇଁ ପଠାଯାଇଥିଲା।
ସୂଚନାଥାଉକି, ଏହା ପୂର୍ବରୁ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ହରିୟାଣାର ହିସାରରୁ ଚିହ୍ନଟ ହୋଇଥିଲା। ଗତ ୯ ତାରିଖରେ ବ୍ୟକ୍ତିଜଣକ ମଙ୍କିପକ୍ସ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ପଶ୍ଚିମ ଆଫ୍ରିକାରୁ ଫେରିବା ପରେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କଠାରେ ଲକ୍ଷଣ ଦେଖାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଥିଲା ଓ ପରେ ତାଙ୍କ ନମୁନା ପଜିଟିଭ ଆସିଥିଲା। ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। ଅନ୍ୟପଟେ ଦେଶରେ ଏବେ ମଙ୍କିପକ୍ସକୁ ନେଇ ବିଶେଷ ବିପଦ ନ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାର କହିଛନ୍ତି ଯେ, ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଦେଶରେ ମଙ୍କିପକ୍ସର ‘କ୍ଲେଡ୍‌ ୨’ ଭାରିଆଣ୍ଟ ରହିଛି। ୨୦୨୨ ଜୁଲାଇ ପରେ ଏହି ଭାରିଆଣ୍ଟ ଦ୍ୱାରା ଦେଶରେ ୩୦ ଜଣ ଆକ୍ରାନ୍ତ ହୋଇଛନ୍ତି। ତଥାପି ଗତ ସପ୍ତାହରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମଙ୍କିପକ୍ସ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ। ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍କିପକ୍ସ ବା ଏମ୍‌ପକ୍ସର କ୍ଲେଡ୍‌-୧ ଭାରିଆଣ୍ଟକୁ ମାରାତ୍ମକ ବୋଲି କହିଛି। ଗତ ମାସ ୧୪ ତାରିଖରେ ସଙ୍ଗଠନ ପକ୍ଷରୁ ମଙ୍କିପକ୍ସକୁ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରାଯାଇଥିଲା।

Share