ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କଲା ରୁଷିଆ: ବଢ଼ିଲା ବିକିରଣ ବିପଦ

କ୍ୱିଭ୍‌,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଙ୍ଗଳବାର ୧୩ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ରୁଷିଆ ସୈନ୍ୟମାନେ କ୍ୱିଭ, ଖାର୍କିଭ ସମେତ ଅନେକ ସହରରେ ରକେଟ ମାଡ଼ କରିବା ସହ କ୍ଷେପଣାସ୍ତ୍ର ଓ ଗୁଳି ଚଳାଉଛନ୍ତି। ଇତିମଧ୍ୟରେ ରୁଷିଆ ସୈନ୍ୟ ୟୁକ୍ରେନର ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କରିଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଅନୁଯାୟୀ, ଏପର୍ଯ୍ୟନ୍ତ ବିକିରଣ ଲିକ୍‌ ହେବାର କୌଣସି ଖବର ନାହିଁ କିନ୍ତୁ ବିପଦ ରହିଛି ବୋଲି କୁହାଯାଉଛି। ଏହାପୂର୍ବରୁ ରୁଷିଆ ସୈନ୍ୟ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋଝିରିଆ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଆକ୍ରମଣ କରି ନଷ୍ଟ କରିଦେଇଥିଲେ। ସେହିପରି ଯୁଦ୍ଧର ପ୍ରଥମ ଦିନରେ ତଥା ପେବୃଆରୀ ୨୪ରେ ଚେର୍ନୋବିଲ ପ୍ଲାଣ୍ଡକୁ କବ୍‌ଜା କରିଥିଲେ ରୁଷିଆ ସୈନ୍ୟ। ସୂଚନାଯୋଗ୍ୟ, ସୋମବାର ଅସ୍ତ୍ରବିରତି ଉଲ୍ଲଂଘନ ସମ୍ପର୍କରେ ବେଲାରୁଷରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ତୃତୀୟ ରାଉଣ୍ଡ ଆଲୋଚନା ମଧ୍ୟ ଫଳହୀନ ହୋଇଛି। ଏଥିରେ ଲୋକଙ୍କୁ ରଣକ୍ଷେତ୍ରରୁ ଲୋକଙ୍କୁ ବାହାର କରିବା ପାଇଁ ୟୁକ୍ରେନରେ ମାନବ କରିଡର ନିର୍ମାଣ କରିବାକୁ ସହମତ ହୋଇ ନ ଥିଲେ। ୟୁକ୍ରେନରେ ଲଗାତର ଭାବେ ରୁଷିଆ ପକ୍ଷରୁ କରାଯାଉଥିବା ବିସ୍ଫୋରଣରେ ଭୟଭୀତ ହୋଇ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଯାଇ ଦେଶ ଛାଡି ପଳାଇଯାଉଛନ୍ତି।

Share