ଜାନୁୟାରୀ ୬ରୁ ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା: ମାର୍ଗଦର୍ଶିକା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଯୁକ୍ତ୩ ପ୍ରଥମ ବର୍ଷର ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଜାନୁୟାରୀ ୬ରୁ ଆରମ୍ଭ ହେବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିବା ସହ ମାର୍ଗଦର୍ଶିକା ଜାରି କରିଛି। ଉକ୍ତ ମାର୍ଗଦର୍ଶିକା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ କମନ୍‌ ଆପ୍ଲିକେଶନ୍‌ ଫର୍ମ (ସିଏଏଫ୍‌) ଦାଖଲ କରିନାହାନ୍ତି, ସେମାନେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପୁଣି ଥରେ ଆବେଦନ କରିପାରିବେ। ଏଥିପାଇଁ ଅନ୍‌ଲାଇନ୍‌ରେ ସିଏଏଫ୍‌ ଫି’ ଦାଖଲ କରିବାକୁ ପଡ଼ିବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖିଥିବା କିମ୍ବା ଲେଖି ନ ଥିବା ଛାତ୍ରୀଛାତ୍ର ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆବେଦନ କରିପାରିବେ। ସେମାନଙ୍କୁ ଆଉ ଫି’ ଦାଖଲ କରିବାକୁ ପଡ଼ିବ ନାହିଁ। ବିଭିନ୍ନ କଲେଜରେ ଖାଲି ରହୁଥିବା ସିଟ୍‌ଗୁଡ଼ିକୁ ଏସ୍‌ସି, ଏସ୍‌ଟି, ଇଏସ୍‌ଏମ୍‌/ଏସ୍‌ଡିପି/ସିଓଏମ୍‌ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ। ସାଧାରଣ ପ୍ରସ୍ପେକ୍ଟସ୍‌ ଅନୁସାରେ, ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ରୋଭର୍‌ ଆଣ୍ଡ୍‌ ରେଞ୍ଜର୍‌, ସ୍ପୋର୍ଟସ୍‌ ଆଣ୍ଡ୍‌ ଗେମ୍ସ ବର୍ଗରେ ଛାତ୍ରୀଛାତ୍ରଙ୍କୁ ପ୍ରାଧାନ୍ୟ ଦିଆଯିବ। କେବଳ ନମ୍ବରକୁ ଆଧାର କରି ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯିବ। କିନ୍ତୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ସମସ୍ତ ବର୍ଗରେ, ନମ୍ବର ନିର୍ବିଶେଷରେ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୨୩ ତାରିଖ ପୂର୍ବାହ୍ନ ୧୧ଟାରେ www. samsodisha. gov. in ଓ୍ବେବ୍‌ସାଇଟ୍‌ରେ ସିଏଏଫ୍‌ ଉପଲବ୍ଧ ହେବ। ୨୮ ତାରିଖ ରାତି ୧୧ଟା ୪୫ ସିଏଏଫ୍‌ ଦାଖଲର ଶେଷ ସମୟ। ଜାନୁୟାରୀ ୨ ଅପରାହ୍ନ ୨ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ୬ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ନାମଲେଖା ଫି’ ଦାଖଲ କରିବାକୁ ପଡ଼ିବ। ୬ରୁ ୧୦ ତାରିଖ ଅପରାହ୍ନ ୫ଟାରେ ଦ୍ୱିତୀୟ ପର୍ଯ୍ୟାୟ ମନୋନୀତ ଛାତ୍ରୀଛାତ୍ରଙ୍କର ଅନ୍‌ଲାଇନ ନାମଲେଖା ହେବ।

Share