Categories: ଜାତୀୟ

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୨ା୧୧(ଆଇଏଏନ୍‌ଏସ୍‌): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ ସବୁ ଦଳ ପକ୍ଷରୁ ପ୍ରଚାରକୁ ଜୋର୍‌ଦାର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ଦିନରେ ୪ଟି ନିର୍ବାଚନୀ ରାଲିରେ ଯୋଗଦେଇ ଏନ୍‌ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଅଭିନେତାରୁ ରାଜନେତା ହୋଇଥିବା ମନୋଜ ତିଓ୍ବାରୀ ପ୍ରମୁଖ ଏନ୍‌ଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ସାମିଲ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଆରଜେଡି ନେତା ତେଜସ୍ବୀ ଯାଦବ ବିଭିନ୍ନ ସଭା ଓ ରାଲିରେ ଯୋଗଦେଇ ମହାମେଣ୍ଟ ପାଇଁ ପ୍ରଚାର କରିଥିଲେ। ମଙ୍ଗଳବାର ୯୪ ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ଲଢ଼ୁଥିବା ହେଭିଓ୍ବେଟ ନେତାମାନଙ୍କ ମଧ୍ୟରେ ଅଛନ୍ତି ନନ୍ଦକିଶୋର ଯାଦବ (ପାଟନା ସାହିବ), ରଣଧୀର ସିଂ (ମଧୁବନ), ଶ୍ରବଣ କୁମାର (ନାଳନ୍ଦା), ତେଜସ୍ବୀ ଯାଦବ (ରାଘୋପୁର), ତେଜପ୍ରତାପ ଯାଦବ (ହସନପୁର) ଏବଂ ଲୁଭ୍‌ ସିହ୍ନା (ବାଙ୍କିପୁର)। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୪୬୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି। ମାଓବାଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ବିହାରରେ ମୁଖ୍ୟତଃ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଏବଂ ମହାମେଣ୍ଟ ମଧ୍ୟରେ ଲଢ଼େଇ ହେଉଛି। ଏନ୍‌ଡିଏରେ ଜେଡିୟୁ, ହିନ୍ଦୁସ୍ତାନୀ ଆଓ୍ବାମୀ ମୋର୍ଚ୍ଚା ଏବଂ ବିକାଶଶୀଳ ଇନସାନ ପାର୍ଟି ରହିଥିବାବେଳେ ଲୋକ ଜନଶକ୍ତି ପାର୍ଟି ଏକାକୀ ନିର୍ବାଚନ ଲଢ଼ୁଛି। ଅନ୍ୟପକ୍ଷରେ ମହାମେଣ୍ଟରେ ଆର୍‌ଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକ ରହିଛନ୍ତି। ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ପରେ ୧୦ରେ ମତଗଣନା କରାଯିବ।
୧୧ଟି ରାଜ୍ୟର ୫୪ଟି ବିଧାନସଭା ଆସନ ଲାଗି ମଙ୍ଗଳବାର ଉପନିର୍ବାଚନ ହେବାକୁ ଥିବାବେଳେ ସେଠାରେ ରବିବାର ପ୍ରଚାର ଶେଷ ହୋଇଛି। ସେଥିରୁ ମଧ୍ୟପ୍ରଦେଶରେ ସର୍ବାଧିକ ୨୮ ଆସନ, ଗୁଜରାଟରେ ୮, ଉତ୍ତରପ୍ରଦେଶରେ ୭, ଓଡ଼ିଶା, ନାଗାଲାଣ୍ଡ, କର୍ନାଟକ ଓ ଝାଡ଼ଖଣ୍ଡରେ ୨ଟି ଲେଖାଏ ଏବଂ ଛତିଶଗଡ଼, ତେଲଙ୍ଗାନା ଓ ହରିୟାଣାରେ ଗୋଟିଏ ଲେଖାଏ ଆସନ ଲାଗି ଭୋଟଗ୍ରହଣ ହେବ।

Share