Categories: ଖେଳ

ସୌରାଷ୍ଟ୍ରକୁ ଦ୍ୱିତୀୟ ରଣଜୀ ଟାଇଟଲ

କୋଲ୍‌କାତା,୨୦ା୨(ପି.ଟି.): କୋଲ୍‌କାତାର ଇଡେନ୍‌ ଗାର୍ଡେନରେ ଅନୁଷ୍ଠିତ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ବେଙ୍ଗଲକୁ ପରାସ୍ତ କରିବା ସହିତ ଦ୍ୱିତୀୟଥର ପାଇଁ ରଣ୍‌ଜୀ ଟ୍ରଫି ଜିତିଛି ସୌରାଷ୍ଟ୍ର। ଅଧିନାୟକ ଜୟଦେବ ଉନାଡକଟ୍‌ଙ୍କ ଘାତକ ବୋଲିଂ ଓ ଅର୍ପିତ ବାସବଦାଙ୍କ ବ୍ୟାଟିଂ ବଳରେ ସୌରାଷ୍ଟ୍ର ରବିବାର ରଣ୍‌ଜୀ ଟ୍ରଫି ଫାଇନାଲର ଚତୁର୍ଥ ଦିନରେ ୯ ଉଇକେଟରେ ବେଙ୍ଗଲକୁ ପରାସ୍ତ କରିଛି। ପ୍ରଥମ ଇନିଂସରେ ସୌରାଷ୍ଟ୍ର ୨୩୦ ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୨୪୧ ରନ୍‌ରେ ଅଲଆଉଟ ହୋଇଥିଲା। ବିଜୟ ପାଇଁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ଜୟ ଗୋହିଲ(୦)ଙ୍କ ଉଇକେଟ ହରାଇ ଜିତି ନେଇଥିଲା ସୌରାଷ୍ଟ୍ର।

ତୃତୀୟ ଦିନର ଅସମାପ୍ତ ସ୍କୋର ୧୬୯/୪ରୁ ଖେଳ ଆରମ୍ଭ କରି ବେଙ୍ଗଲ ୭୨ ରନ୍‌ ଯୋଡ଼ି ବାକି ୬ ଉଇକେଟ ହରାଇଥିଲା। ପୂର୍ବଦିନର ଅପରାଜିତ ବ୍ୟାଟର ଅଧିନାୟକ ମନୋଜ ତିଓ୍ବାରୀ ମାତ୍ର ୧୨ ରନ୍‌ ଯୋଡ଼ି ପାଭିଲିୟନ ଫେରିଥିଲେ। ୨୦୫ ରନ୍‌ରେ ବେଙ୍ଗଲ ଇନିଂସର ନବମ ଉଇକେଟର ପତନ ଘଟିଥିଲା। ଇନିଂସ ପରାଜୟ ଆଶଙ୍କାରେ ଥିବା ବେଳେ ମୁକେଶ କୁମାର ୧୫ ଓ ଇଶାନ ପୋରେଲ ୨୨ ରନ୍‌ କରି ଦଳୀୟ ସ୍କୋର ୨୪୧ରେ ପହଞ୍ଚାଇଥିଲେ। ଜୟଦେବ ଉନାଡକଟ୍‌ ୬ ଉଇକେଟ ନେଇ ବେଙ୍ଗଲର ସର୍ବାଧିକ କ୍ଷତି ଘଟାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚେତନ ସାକାରିୟା ୩ ଉଇକେଟ ନେଇଥିଲେ। ଉଭୟ ଦଳ ୨୦୨୦ ରଣଜୀ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଥିବା ବେଳେ ଚଳିତ ବର୍ଷ ଏହାର ଆକ୍ସନ ରିପ୍ଲେ ଦେଖିବାକୁ ମିଳିଛି। ୨୦୨୦ରେ ସୌରାଷ୍ଟ୍ର ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ ହୋଇଥିଲା।

ସୌରାଷ୍ଟ୍ର ପାଇଁ ବେଙ୍ଗଲ ଗ୍ରୀନ୍‌ ଟର୍ଫ ପ୍ରସ୍ତୁତ କରିଥିବା ବେଳେ ନିଜ ଜାଲରେ ନିଜେ ଫସି ଯାଇଥିଲା। ପ୍ରଥମ ଇନିଂସ୍‌ରେ ଦଳ ମାତ୍ର ୧୭୪ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ୪୦୪ ରନ୍‌ କରି ସୌରାଷ୍ଟ୍ର ୨୩୦ ରନ୍‌ରେ ଆଗୁଆ ରହିଥିଲା। ସମୁଦାୟ ୯ ଉଇକେଟ ଅକ୍ତିଆର କରିଥିବା ଜୟଦେବ ଉନାଡକଟ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ୧୦ ମ୍ୟାଚ ଖେଳି ଦ୍ୱିତୀୟ ସର୍ବାଧିକ ୯୦୭ ରନ୍‌ କରିଥିବା ଅର୍ପିତ ବାସବଦାଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା। କର୍ନାଟକର ମୟଙ୍କ ଅଗ୍ରଓ୍ବାଲ ୯ ମ୍ୟାଚ୍‌ରୁ ୮୨.୫୦ ଆଭରେଜ୍‌ ସହିତ ସର୍ବାଧିକ ୯୯୦ ରନ୍‌ କରିଥିବା ବେଳେ କେରଳର ଜଲଜ ସକ୍ସେନା ୭ ମ୍ୟାଚ୍‌ରୁ ସର୍ବାଧିକ ୫୦ ଉଇକେଟ ନେଇଛନ୍ତି।

Share