ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୧ଟା ସୁଦ୍ଧା ୬୫% ମତଦାନ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଶୁକ୍ରବାର ସକାଳ ୭ଟାରୁ ୬୮ ବ୍ଲକର ୨୦୪୩୬ ବୁଥ୍‌ରେ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୧ଟା ଯାଏ ଚାଲିଥିଲା। ତେବେ ଅପରାହ୍ନ ୧ଟା ସୁଦ୍ଧା ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୬୫% ମତଦାନ ହୋଇଛି। ଏବେ ବି କିଛି ସ୍ଥାନରେ ନିର୍ବାଚନ ଚାଲିଥିବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅପରାହ୍ନ ୧ଟାରେ ବୁଥ୍‌ ଗେଟ ବନ୍ଦ କରିଦିଆଯାଇଛି। ଏଣୁ ଯେଉଁମାନେ ସମୟ ପୂର୍ବରୁ ବୁଥ୍‌ ପରିସରରେ ପହଞ୍ଚିଥିଲେ ସେମାନେ ଭୋଟ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଏହାପରେ ରାଜ୍ୟ ନିର୍ବାଚନ କମିଶନର ଯେପରି ପୁନର୍ବାର ଏଭଳି ନ ଘଟେ ତା’ ଉପରେ ନଜର ରଖିବାକୁ ତାଗିଦ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ କାଁ ଭାଁ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି।

Share