ମିନସ୍କ,୩।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୮ଦିନ ହେଲାଣି ଭୟଙ୍କର ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ଗୁରୁବାର ବେଲାରୁଷ ସୀମାରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। ଏହି ବୈଠକରେ ୨ଦେଶର ପ୍ରତିନିଧିମଣ୍ଡଳ ସାମିଲ ରହିଛନ୍ତି। ଏହି ବୈଠକକୁ ନେଇ ରୁଷିଆ ପ୍ରତିନିଧିମଣ୍ଡଳର ମୁଖ୍ୟ ଭ୍ଲାଡିମିର ମେଣ୍ଡେସ୍କି କହିଛନ୍ତି, ୟୁକ୍ରେନ ସମ୍ପର୍କରେ ରହିଛୁ। ୟୁକ୍ରେନ ଏହି ପ୍ରସଙ୍ଗରେ ସକାରାତ୍ମକ ଭାବେ ଆଲୋଚନା କରିବ ଏବଂ ଯୁଦ୍ଧ ସମାପ୍ତ କରିବ ବୋଲି ଆଶା କରୁଛୁ ବୋଲି ମେଣ୍ଡେସ୍କି କହିଛନ୍ତି। ଅନ୍ୟପଟେ ୟୁକ୍ରେନ ଅଧିକାରୀ କହିଛନ୍ତି, ଯୁଦ୍ଧ ଶେଷ କରିବାକୁ ରୁଷିଆ ସହିତ ଆଲୋଚନା ଜାରି ରହିଛି। ଆଶା କରାଯାଉଛି ଆଲୋଚନା ସଫଳ ହେବ। ତେବେ ଏହି ଆଲୋଚନାରେ କ’ଣ ନିର୍ଷ୍କସ ବାହାରିବ ସେନେଇ ସାରା ବିଶ୍ୱର ନଜର ରହିଛି। ଏହାପୂର୍ବରୁ ବେଲାରୁଷରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସମାପ୍ତକୁ ନେଇ ପ୍ରଥମେ ଆଲୋଚନା ହୋଇଥିଲା। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ତେବେ ଦ୍ୱିତୀୟ ଆଲୋଚନା ବୁଧବାର ହେବାକୁ ଥିବା ବେଳେ ଏହାକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଯାଇଥିଲା।