Categories: ଖେଳ

ଆଜି ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଗୁଆହାଟୀ,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ରବିବାର ଗୁଆହାଟୀରେ ଖେଳାଯିବ। ଭାରତ ଏହି ମ୍ୟାଚକୁ ଜିତିବା ସହିତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଘରୋଇ ସିରିଜ ଜିତିବାକୁ ପ୍ରୟାସ କରିବ। ଏହା ପୂର୍ବରୁ ଦକ୍ଷିଣଆଫ୍ରିକା ବିପକ୍ଷରେ ଭାରତ ଆଦୌ ଟି୨୦ ସିରିଜ ଜିତିନାହିଁ। ଭାରତ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ୯ ମ୍ୟାଚ ଖେଳାଯାଇଥିବା ବେଳେ ଭାରତ ମାତ୍ର ୩ଟିରେ ବିଜୟୀ ହୋଇଛି। ତେବେ ଯଶପ୍ରୀତ୍‌ ବୁମ୍‌ରା ଆହତ ହୋଇ ବାଦ୍‌ ପଡିବା ଭାରତୀୟ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବିଶ୍ୱକପ୍‌କୁ ୩ ସପ୍ତାହ ବାକି ଥିବା ବେଳେ ବୁମ୍‌ରା ଷ୍ଟ୍ରେସ୍‌ ଫାକ୍ଚର କାରଣରୁ ବାଦ୍‌ ପଡିଛନ୍ତି। ଚଳିତ ସିରିଜରେ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ ସିରାଜ୍‌ ଓ ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବ ସ୍ଥାନ ପାଇଛନ୍ତି। ତେବେ ଦଳ ଚୟନ ବର୍ତ୍ତମାନ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ସବୁଠୁ କଷ୍ଟକର ବ୍ୟାପାର ହେବ। ମହମ୍ମଦ ଶାମି କୋଭିଡ୍‌ ମୁକ୍ତ ହୋଇଥିଲେ ହେଁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ତାଙ୍କୁ ସ୍ଥାନ ମିଳିନାହିଁ। ଅଭିଜ୍ଞତା ଦୃଷ୍ଟିରୁ ବିଶ୍ୱକପ୍‌ ଦଳରେ ରିଜର୍ଭ ବୋଲର ରହିଥିବା ଶାମିଙ୍କୁ ବୁମ୍‌ରାଙ୍କ ବିକଳ୍ପ ଭାବରେ ବିବେଚନା ମଧ୍ୟ କରାଯାଉଛି। କେରଳରେ ଖେଳା ଯାଇଥିବା ପ୍ରଥମ ଟି୨୦ରେ ଦୀପକ ଚହର ଏବଂ ଅର୍ଶଦୀପ ସିଂ ବେଶ୍‌ ଘାତକ ବୋଲିଂ କରିଥିଲେ। ଏହି ଦୁଇ ବୋଲରଙ୍କ ଘାତକ ବୋଲିଂ କାରଣରୁ ଭ୍ରମଣକାରୀ ଦଳ ମାତ୍ର ୧୦୮ ରନରେ ସୀମିତ ରହିଥିଲା। ଉଭୟ ବୋଲର ବଢିଆ ସ୍ବିଙ୍ଗ ବୋଲିଂ କରିଥିବା ବେଳେ ଅଷ୍ଟ୍ରେଲିଆରେ ପିଚ୍‌ ଭିନ୍ନ ରହିବ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ହର୍ଶଲ ପଟେଲଙ୍କଠାରୁ ଦଳ ଦୃଢ ପ୍ରଦର୍ଶନ ଆଶା କରିବ।

ଆର. ଅଶ୍ୱିନଙ୍କ ସହିତ ଅକ୍ଷର ପଟେଲ ବେଶ୍‌ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଉଭୟ ରନ୍‌ ରୋକିବାରେ ସଫଳ ହୋଇଥିବା ବେଳେ ବିଗତ ୪ ମ୍ୟାଚରେ ଅକ୍ଷର ଭାରତର ସର୍ବାଧିକ ଉଇକେଟ ନେଇଛନ୍ତି। ଜାଡେଜାଙ୍କ ବିକଳ୍ପ ଭାବରେ ଦଳରେ ସ୍ଥାନ ପାଇଥିବା ଅକ୍ଷରଙ୍କ ୭.୮୭ର ଇକୋନୋମୀରେ ୮ଉଇକେଟ ନେଇଛନ୍ତି।

Share