ଖ୍ରୀଷ୍ଟଚର୍ଚ୍ଚ,୩।୧: ନ୍ୟୁଜିଲାଣ୍ଟ ଯୁବ ଦ୍ରୁତ ବୋଲର କାଏଲ ଜେମିସନ ମାତ୍ର ୬ଟି ଟେଷ୍ଟ ଖେଳି ତୃତୀୟଥର ପାଇଁ ଟେଷ୍ଟରେ ୫ ଉଇକେଟ ସଫଳତା ଅର୍ଜନ କରିଛନ୍ତି। ରବିବାରଠାରୁ ସ୍ଥାନୀୟ ହଗଲି ଓଭାଲ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ସେ ୬୯ ରନ ବ୍ୟୟ କରି ୫ ଉଇକେଟ ହାସଲ କରିଛନ୍ତି। ଫଳରେ ପାକିସ୍ତାନ ପ୍ରଥମ ଇନିଂସରେ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ପ୍ରଥମ ଇନିଂସରେ ୮୩.୫ ଓଭରରେ ୨୯୭ ରନକରି ଅଲଆଉଟ ହୋଇଛି। ଜେମିସନ ଗତ ଫେବୃୟାରୀରେ ଭାରତ ବିପକ୍ଷରେ ୪୫ ରନ ବ୍ୟୟ କରି ୫ ଉଇକେଟ ହାସଲ କରିଥିଲେ। ସେହିପରି ଗତମାସରେ ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୩୪ ରନ ବ୍ୟୟ କରି ଏହି ସଫଳତାକୁ ଦୋହରାଇଥିଲେ।