Categories: ଖେଳ

ଓଏଫ୍‌ସିର ଦ୍ୱିତୀୟ ବିଜୟ

ଭୁବନେଶ୍ୱର,୪ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ପ୍ରଥମ ସଂସ୍କରଣ ଚାମ୍ପିୟନ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନକୁ ବୁଧବାର ୪-୦ରେ ପରାସ୍ତ କରିଛି ଓଡିଶା। ଦଳ ପକ୍ଷରୁ ଯଶୋଦା ମୁଣ୍ଡା, ଅଞ୍ଜୁ ତମାଙ୍ଗ, ନାନ୍‌ଗୋମ ବାଲା ଦେବୀ ଓ ଏସ୍‌ ଲିଣ୍ଡା କୋମ୍‌ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଓଏଫ୍‌ସି ପ୍ରଥମାର୍ଦ୍ଧରେ ଦୁଇଟି ଓ ଦ୍ୱିତୀୟାର୍ଦ୍ଧରେ ଲେଖାଏ ଗୋଲ ସ୍କୋର କରିଥିଲା।
ଓଏଫ୍‌ସି ମ୍ୟାଚ୍‌ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୧୭ ତମ ମିନିଟରେ ଅଞ୍ଜୁ ତମାଙ୍ଗ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ୨୫ ତମ ମିନିଟରେ ଓଏଫ୍‌ସି ଅଧିନାୟିକା ନାନଗୋମ ବାଲା ଦେବୀ ଦଳ ପକ୍ଷରୁ ଦ୍ୱିତୀୟ ଗୋ୍‌ଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରହିବା ପରେ ଦ୍ୱିତୀୟାର୍ଦ୍ଧରେ ଓଏଫ୍‌ସି ଆଉ ଦୁଇଟି ଗୋଲ ସ୍କୋର କରିଥିଲା। ୪୬ ତମ ମିନିଟରେ ଓଡ଼ିଆ ଖେଳାଳି ଯଶୋଦା ମୁଣ୍ଡା ତୃତୀୟ ଗୋଲ ମାରିଥିଲେ। ମ୍ୟାଚ୍‌ର ଇଞ୍ଜୁରୀ ଟାଇମ୍‌ରେ ୯୦+୧ ମିନିଟରେ ଏସ୍‌ ଲିଣ୍ଡା କୋମ ଅନ୍ତିମ ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ। ୫ ମେରେ ଓଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚରେ ଚର୍ଚ୍ଚିଲ୍‌ ବ୍ରଦର୍ସକୁ ଭେଟିବ। ଯଶୋଦା ମୁଣ୍ଡାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share