ସେନା ମୁଖ୍ୟଙ୍କ ଗୁପ୍ତ ସୂଚନା ଲିକ୍‌, ୬ ଅଧିକାରୀଙ୍କ ବିରୋଧରେ ଅଭିଯୋଗ…

ଇସଲାମାବାଦ,୬।୫ : ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଗୁପ୍ତ ଏବଂ ବ୍ୟକ୍ତିଗତ ସୂଚନା ଲିକ ହେବାରେ ଲାଗିଛି। ଏହି ଘଟଣାରେ ପାକିସ୍ତାନର ସଂସଦ କମିଟି ଏବଂ ସରକାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପାକିସ୍ତାନର ସଂସଦର ଏକ ପ୍ରଭାବଶାଳୀ କମିଟି ସରକାରୀ ଏଜେନ୍ସିର ଅଧିକାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି। ଯେଉଁମାନେ ଆର୍ମି ମୁଖ୍ୟ ଜେନେରାଲ ଅସୀମ ମୁନିର ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ସୂଚନା ପାଇଥିଲେ। ତେବେ ବର୍ତ୍ତମାନ ପାକିସ୍ତାନୀ କର୍ତ୍ତୃପକ୍ଷ ଏହି ୬ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛନ୍ତି।

 

ନାଗରିକଙ୍କ ସୂଚନା ସଂଗ୍ରହ କରୁଥିବା ତଥା ଜାତୀୟ ପରିଚୟ ପତ୍ର ଏବଂ ପାସପୋର୍ଟ ପ୍ରଦାନ କରୁଥିବା ସର୍ବୋଚ୍ଚ ଜାତୀୟ ସଂସ୍ଥା ଜାତୀୟ ଡାଟାବେସ ଏବଂ ପଞ୍ଜୀକରଣ ପ୍ରାଧିକରଣ (ନାଦରା) ଏହାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେଉଁମାନଙ୍କ ଆଦେଶ ଅନୁସାରେ ଏହି ଉଲ୍ଲଂଘନ କରାଯାଇଛି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଚାରିଟି ପୃଥକ ଅନୁସନ୍ଧାନ ପରେ ସେନା ମୁଖ୍ୟଙ୍କ ପରିବାରର ରେକର୍ଡକୁ ବେଆଇନ ଭାବେ ହାସଲ କରିଥିବାରୁ ୬ ଜଣ କର୍ମଚାରୀଙ୍କୁ ସେବାରୁ ବରଖାସ୍ତ କରାଯାଇଛି।

ନାଦରା ଅଧ୍ୟକ୍ଷ ତାରିକ ମଲିକ ଗତ ବର୍ଷ ଡିସେମ୍ବର ୩ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨ରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ବର୍ଷ ଡିସେମ୍ବରରେ, ନାଦରା ଏବଂ ଏକ ସମ୍ବେଦନଶୀଳ ସୁରକ୍ଷା ଏଜେନ୍ସିର ମିଳିତ ଅନୁସନ୍ଧାନରୁ ଜଣାପଡିଥିଲା ମୁନିରଙ୍କ ବ୍ୟକ୍ତିଗତ ତଥ୍ୟକୁ ପ୍ରଥମେ ପାଇଥିବା ବ୍ୟକ୍ତି ହେଉଛନ୍ତି ବେନାଜିର ଇନକମ ସପୋର୍ଟ ପ୍ରୋଗ୍ରାମର ଏକ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା କନିଷ୍ଠ କାର୍ଯ୍ୟନିର୍ବାହୀ କର୍ମଚାରୀ ଫାରୁକ ଅହମ୍ମଦ। ପରେ ଏଜେନ୍ସି ଅନୁସନ୍ଧାନକୁ ଆହୁରି କଡ଼ାକଡ଼ି କରିଥିଲା। ଏହାଦ୍ୱାରା ୧୦ ଜଣ କର୍ମଚାରୀଙ୍କ ପରିଚୟ ମିଳିଥିଲା ଯେଉଁମାନେ ସେନା ମୁଖ୍ୟଙ୍କ ପରିବାର ରେକର୍ଡକୁ ବେଆଇନ ଭାବରେ ହାସଲ କରିଥିଲେ। ଏହି ଲୋକଙ୍କୁ ପଚରାଉଚରା କରାଯାଇଥିଲା ଏବଂ ଜାନୁଆରୀ ୬ରେ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଥିଲା।

Share