Categories: ଜାତୀୟ

ଗୁପ୍ତ ହତ୍ୟା ମାମଲା: ପ୍ରଫୁଲ୍ଲ ମହନ୍ତଙ୍କୁ କ୍ଲିନଚିଟ୍‌…

ଗୁଆହାଟୀ,୧୪।୬ : ୯୦ ଦଶକରେ ଆସାମ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଥିବା ଗୁପ୍ତ ହତ୍ୟା ମାମଲାରେ କ୍ଷମତା ହରାଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଫୁଲ୍ଲ ମହନ୍ତଙ୍କୁ ଗୁଆହାଟୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବାସ୍ତବରେ, ଗୁଆହାଟୀ ହାଇକୋର୍ଟ ପ୍ରଫୁଲ୍ଲ ମହନ୍ତଙ୍କୁ ଏକ କ୍ଲନଚିଟ୍‌ ପ୍ରଦାନ କରୁଥିବାବେଳେ ଗୁପ୍ତ ହତ୍ୟା ମାମଲାରେ ଦାଖଲ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ଖାରଜ କରିଦେଇଛନ୍ତି।

ଗୁଆହାଟୀ ହାଇକୋର୍ଟର ଡିଭିଜନ ବେଞ୍ଚ ଦେଇଥିବା ରାୟରେ ଦର୍ଶାଇଛନ୍ତି ଆବେଦନକାରୀମାନେ ସେମାନଙ୍କ ଦାବିକୁ ସମର୍ଥନ କରି ପ୍ରମାଣ ଯୋଗାଇବାରେ ବିଫଳ ହୋଇଛନ୍ତି।

ରାଜ୍ୟସଭା ଏମପି ଅଜିତ କୁମାର ଭୁୟାଁ ଏବଂ ଅନନ୍ତ କାଳିତା ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନରେ, ୩ ସେପ୍ଟେମ୍ବର ୨୦୧୮ ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ  କରାଯାଇଥିଲା, ଯେଉଁଥିରେ କୋର୍ଟ ଗୁପ୍ତ ହତ୍ୟାକାଣ୍ଡ ତଦନ୍ତ ପାଇଁ ଗଠିତ କମିଶନ ବେଆଇନ ବୋଲି କହି ଖାରଜ କରିଦେଇଥିଲେ।

ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ମିତାଲି ଠାକୁରିଆଙ୍କ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ରାୟର ୫୩୧ ଦିନ ପରେ ଆବେଦନକାରୀ କାହିଁକି ମଧ୍ୟବର୍ତ୍ତୀକାଳୀନ ଆବେଦନ କରିଥିଲେ ? ବିଳମ୍ବ ହେବାର କାରଣ ମଧ୍ୟ ଆବେଦନରେ ଦିଆଯାଇ ନାହିଁ। ଏଭଳି ପରିସ୍ଥିତିରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ସୂଚନାଯୋଗ୍ୟ, ୧୯୯୮ରୁ ୨୦୦୧ ମଧ୍ୟରେ ଆସାମରେ ଉଗ୍ରବାଦୀ ସଂଗଠନ ଉଲ୍‌ଫା ସହ ଜଡ଼ିତ ଲୋକଙ୍କର ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ହତ୍ୟାକାରୀଙ୍କ ବିଷୟରେ କିଛି ଜଣା ପଡି ନ ଥିଲା, ତେଣୁ ଏହାକୁ ଗୁପ୍ତ ହତ୍ୟା କୁହାଯାଉଥିଲା। ଏହାର ଅଭିଯୋଗ ରାଜ୍ୟର ସିଏମ ଥିବା ପ୍ରଫୁଲ୍ଲ ମହନ୍ତଙ୍କ ଉପରେ ରଖାଯାଇଥିଲା। ୨୦୦୫ ରେ ତତ୍କାଳୀନ କଂଗ୍ରେସ ସରକାର ଜଷ୍ଟିସ (ଅବସରପ୍ରାପ୍ତ) କେ.ଏନ ସାଇକିଆଙ୍କ ନେତୃତ୍ୱରେ ଏକ କମିଶନ ଗଠନ କରି ଏହି ହତ୍ୟା ଘଟଣାର ଯାଞ୍ଚ କରିଥିଲେ।

୨୦୦୭ରେ ଆୟୋଗ ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ ଯେଉଁଥିରେ ପ୍ରଫୁଲ୍ଲ ମହନ୍ତ ଅଭିଯୁକ୍ତ ହୋଇଥିଲେ। ମହନ୍ତ ଏହା ବିରୋଧରେ ଗୁଆହାଟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯେଉଁଥିରେ ସେପ୍ଟେମ୍ବର ୨୦୧୮ ରେ, ଗୁଆହାଟୀ ହାଇକୋର୍ଟ ତଦନ୍ତ ଆୟୋଗକୁ ବେଆଇନ ବୋଲି କହି ଖାରଜ କରିଦେଇଥିଲେ। ଏହା ପରେ ୨୦୨୧ ମସିହାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଥିଲା ଯାହାକୁ ବର୍ତ୍ତମାନ ହାଇକୋର୍ଟ ବେଆଇନ କହି ଖାରଜ କରିଛନ୍ତି।

Share