ନୂଆଦିଲ୍ଲୀ,୨୨।୧: ଗାବା ଟେଷ୍ଟର ପଞ୍ଚମ ଦିନ ମିଚେଲ ଷ୍ଟାର୍କ ଓ ପାଟ କୁମିନ୍ସ ପ୍ରାୟତଃ ୧୫୦ କି.ମି. ଗତିରେ ଘାତକ ବୋଲିଂ କରୁଥିଲେ। ଭାରତୀୟ ଯୁବ ଓପନର ଶୁବମାନ ଗିଲ ଓ ଚେତ୍ତେଶ୍ୱର ପୂଜାରାଙ୍କ ଉଇକେଟ ହାତେଇବା ପାଇଁ ବାରମ୍ବାର ଶର୍ଟ ପିଚ୍ ବଲର ବ୍ୟବହାର କରୁଥିଲେ ଦୁଇ ଘାତକ ପେସର। ଯୋଦ୍ଧା ଭଳି ଖେଳୁଥିବା ପୂଜାରାଙ୍କ ଦେହରେ ଥରେ କି ଦୁଇ ଥର ନୁହେଁ ୧୧ ଥର ବଲ ବାଜିଥିଲା। ବହୁ ବାର ତାଙ୍କୁ ନେବାକୁ ପଡ଼ିଥିଲା ଭାରତୀୟ ଦଳର ମେଡିକାଲ ଷ୍ଟାଫଙ୍କ ସହାୟତା।
ଅନ୍ୟପକ୍ଷରେ ଷ୍ଟାର୍କ ଓ କୁମିନ୍ସଙ୍କ ଶର୍ଟ ପିଚ ବଲକୁ ଅତି ସହଜରେ ଖେଳୁଥିଲେ ଗିଲ। ଷ୍ଟାର୍କଙ୍କ ଏକ ଓଭରରେ ସେ ଆଦାୟ କରିଥିଲେ ୨୦ ରନ୍। ଶର୍ଟ ପିଚ ବଲକୁ ବ୍ୟାକ୍ଫୁଟ୍ରେ ସେ ଖେଳିଥିଲେ ପୁଲ, ହୁକ୍, କଟ୍ ଓ ପଞ୍ଚ ଭଳି ଶଟ୍। ସିରିଜ୍ର ଦ୍ୱିତୀୟ ତଥା ମେଲବୋର୍ନ ଟେଷ୍ଟରେ ପଦାର୍ପଣ ପରଠାରୁ ତାଙ୍କ ବ୍ୟାକଫୁଟ୍ ଓ୍ବର୍କକୁ ପ୍ରଶଂସା କରିଥିଲେ ବହୁ ପ୍ରାକ୍ତନ ଖେଳାଳି। ତେବେ ଏହା ପଛରେ ରହିଛି ଏକ ଅଜଣା କଥା, ଯାହାକୁ ରହସ୍ୟ ବି କହିପାରିବା।
ପଞ୍ଜାବର ଫାଜିଲକା ଜିଲାର ଚକ ଖେରେ ଓ୍ବାଲା ଗ୍ରାମର ବାସିନ୍ଦା ଗିଲଙ୍କ ପରିବାର। ଛୋଟ ବେଳୁ ଶୁବମାନଙ୍କ କ୍ରିକେଟ ପ୍ରତି ଦୁର୍ବଳତା ଥିଲା। ଏଥି ଯୋଗୁ ପୁଅକୁ ସୁବିଧା ଓ ସୁଯୋଗ ଦେବା ପାଇଁ ପୁରା ପରିବାର ସମେତ ମୋହାଲି ଚାଲିଆସିଥିଲେ ବାପା ଲଖଓ୍ବିନ୍ଦର ସିଂ । ମୋହାଲି କ୍ରିକେଟ ଏକାଡେମୀରେ ଭର୍ତ୍ତି ହେବା ପରେ ମଧ୍ୟ ପୁଅକୁ ନିଜ ଆଡ଼ୁ ଦେଇଥିଲେ ଟ୍ରେନିଂ। ମୁଖ୍ୟତଃ ଶର୍ଟ ବଲ ବିପକ୍ଷରେ କେଉଁ ଭଳି ବ୍ୟାଟିଂ କରିବାକୁ ପଡ଼େ, ତାହା ଉପରେ ଗୁରୁତ୍ୱ ଦେଇଥିଲେ।
” ଗିଲ ୯ ବର୍ଷ ବୟସରେ ହିଁ ପ୍ରତ୍ୟେକ ଦିନ ଖେଳୁଥିଲେ ୧୫୦୦ ଶର୍ଟ ବଲ। ଏଥି ଲାଗି ମୁଁ ଟେବୁଲ ଉପରେ ଛିଡ଼ା ହୋଇ ଥ୍ରୋ କରୁଥିଲି। ଆଉ ଗିଲ ବ୍ୟାଟିଂ କରୁଥିଲେ ଏକ ଷ୍ଟମ୍ପରେ। ଏହି କାରଣରୁ ଗିଲ ବଲକୁ ଠିକ୍ ସେ ମିଡ୍ଲ କରିପାରୁଛନ୍ତି। ତାଙ୍କୁ ମ୍ୟାଟ୍ ଉପରେ ଖୁବ ପ୍ରାକ୍ଟିସ କରାଇଛି, ଯାହାକି ବଲକୁ ଅତ୍ୟଧିକ ବାଉନ୍ସ ପ୍ରଦାନ କରେ। ଏହି ବଲରେ ଶଟ ଖେଳିବାକୁ ହେଲେ ଠିକ୍ ପୋଜିଶନ ଓ ଟାଇମିଂ ଦରକାର। ଆଉ ମ୍ୟାଟରେ ଖେଳିବା ଦ୍ୱାରା ବ୍ୟାଟ୍ସମ୍ୟାନଙ୍କ ବ୍ୟାକ୍ଫୁଟ୍ ଗେମ୍ରେ ସୁଧାର ଆସିଥାଏ। ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ହେଲେ ବ୍ୟାଟ୍ସମ୍ୟାନ ପାଇଁ ଏହା ନିହାତି ଆବଶ୍ୟକ“ ବୋଲି ଲଖଓ୍ବିନ୍ଦର କହିଛନ୍ତି। ଉଲ୍ଲେଖଥାଉ କି, ଗିଲ ଅଷ୍ଟ୍ରେଲିଆ ବିପକ୍ଷରେ ୬ଟିଂ ଇନିଂସରେ କରିଥିଲେ ୨୫୯ ରନ୍। ଏଥିରେ ସାମିଲ ଅଛି ୯୧ ରନ୍ର ପାଳି, ଯାହାକି ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରର ସର୍ବାଧିକ ସ୍କୋର।