Categories: ଜାତୀୟ

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି। ଏପ୍ରିଲ ୨ରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏହି ଚିଠି ଲେଖାଯାଇଛି। ଏପ୍ରିଲ ୪ ରେ ଲେଖାଯାଇଥିବା ଏହି ଚିଠିରେ ବୈଠକରେ ହୋଇଥିବା ଆଲୋଚନା ଏବଂ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ବିସ୍ତୃତ ଭାବରେ ଉଲ୍ଲେଖ ଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ବେସରକାରୀ ତଥା ସରକାରୀ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଉପରେ ପ୍ରାଥମିକତା ଦିଆଯିବା ଉଚିତ। ବିଦ୍ୟମାନ ଥିବା ପଦବୀ ପୂରଣ ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଅର୍ଥନୈତିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ସରକାର ଏକ ସୁବିଧାକାରୀ ଏବଂ ଅନୁଗାମୀ ଏଜେଣ୍ଟ ଭାବରେ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଉତ୍ପାଦନ ଏବଂ ରୋଜଗାର ଲାଗି ନୂତନ ସୁଯୋଗ ସୃଷ୍ଟି କରିବାରେ ସରକାର ବେସରକାରୀ କ୍ଷେତ୍ରକୁ ପୂର୍ଣ୍ଣ ସମର୍ଥନ ଦେବା ଆବଶ୍ୟକ। ଭାରତୀୟ କମ୍ପାନୀମାନଙ୍କୁ ବିଶ୍ୱ ସ୍ତରରେ ସଫଳ ହେବା ପାଇଁ ସରକାର ସାହାଯ୍ୟ କରନ୍ତୁ ବୋଲି ପ୍ରଧାନନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଶ୍ୱସ୍ତରୀୟ ସୂଚକାଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଆମକୁ ବିଦେଶୀ ରାଷ୍ଟ୍ରଙ୍କ ସହ ସମାନ କରିବା, ଆମର ଅଭାବକୁ ଦୂର କରିବା ଏବଂ ଆବଶ୍ୟକୀୟ ଉନ୍ନତି ଆଣିବା ପାଇଁ ଏକ ସୁଯୋଗ ଦେଇଥାଏ ।

ରାଜ୍ୟସ୍ତରରେ ଆର୍ଥିକ ଅନୁଶାସନର ମହତ୍ତ୍ୱ ବିଷୟରେ ଯୋଗାଯୋଗ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ନୀତିଗତ ନିଷ୍ପତ୍ତି ଏବଂ ପଦକ୍ଷେପଗୁଡ଼ିକୁ ବିଶ୍ଳେଷଣ ଏବଂ ରାଜ୍ୟ ସରକାରଙ୍କ ସହ ଆଦାନପ୍ରଦାନ ଆବଶ୍ୟକ।

ଏହା ବ୍ୟତୀତ, ଏହି ଚିଠିରେ ମଧ୍ୟ କୁହାଯାଇଛି ଯେ ବିଦ୍ୟମାନ ଭିଜନ ୨୦୪୭ କୁ ଏକ ସମୟସୀମା ମଧ୍ୟରେ ପୂରଣ କରିବାର ଆବଶ୍ୟକତା ରହିଛି। ବଜେଟରେ ଘୋଷିତ ପଦକ୍ଷେପକୁ ପୂରଣ କରିବା ପାଇଁ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ପ୍ରତ୍ୟେକ ଜିଲ୍ଲାରେ ମନେରଗା ଅଧୀନରେ ୭୫ ପୋଖରୀ ନିର୍ମାଣ କାର୍ଯ୍ୟ ୧୫ ଅଗଷ୍ଟ୨୦୨୨ ସୁଦ୍ଧା ଶେଷ ହେବା ଜରୁରୀ।

ସ୍ବୟଂଶାସିତ ଅନୁଷ୍ଠାନଗୁଡ଼ିକର ସଂଖ୍ୟା କମାଇବା ସୁପାରିଶ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ ହେବା ଉଚିତ ଏବଂ ଏହିପରି ଅଧିକ ଅନୁଷ୍ଠାନର ଚିହ୍ନଟ କରାଯିବା ଆବଶ୍ୟକ। ଶେଷରେ କ୍ୟାବିନେଟ ସଚିବ ସମସ୍ତ ସଚିବଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ।

Share