ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ସଚିବ

ଖଣ୍ଡପଡ଼ା,୮ା୭(ଅଜୟ କୁମାର ମହାରଣା): ରାଜ୍ୟ ସରକାରଙ୍କ ପକ୍ଷରୁ ନୀଳମାଧବ ପୀଠ ବିକାଶ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କାର ଅନୁଦାନ ମଞ୍ଜର କରାଯାଇ କାର୍ଯ୍ୟ ଚାଲୁ ରହିଛି। ତେବେ ଏହି ପ୍ରକଳ୍ପର କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଇତିମଧ୍ୟରେ ୧୪ ମାସ ଅତିବାହିତ ହୋଇସାରିଲାଣି। ଧୀର ମନ୍ଥର ଗତିରେ କାର୍ଯ୍ୟ ଚାଲୁଛି। କାର୍ଯ୍ୟରେ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ଉଠୁଛି। ତେବେ ଖଣ୍ଡପଡ଼ା ନୀଳମାଧବ ପୀଠ ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଲକ୍ଷ୍ୟରେ ଶୁକ୍ରବାର ଓଡ଼ିଶା ନିର୍ମାଣ ବିଭାଗ ସଚିବ ଭି. ବିକ୍ରମ ଯାଦବ କଣ୍ଟିଲୋ ଗସ୍ତରେ ଆସି ଶ୍ରୀନୀଳମାଧବ ଜୀଉଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ନୀଳମାଧବ ମନ୍ଦିର ବିକାଶ ପ୍ରକଳ୍ପ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମନ୍ଦିର ପରିସରରୁ କାର୍ଯ୍ୟର ସମୀକ୍ଷା କରିଥିଲେ। କାର୍ଯ୍ୟର ମନ୍ଥରତା ପାଇଁ ଯାଦବ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହି ପ୍ରକଳ୍ପର କାର୍ଯ୍ୟକୁ ଶୀଘ୍ର ସମ୍ପନ୍ନ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଚିବ ଯାଦବଙ୍କ ସହ ଓଡ଼ଶା ସେତୁ ନିର୍ମାଣ ନିଗମ ଅଧ୍ୟକ୍ଷ ଇଂ. ଜୟକୃଷ୍ଣ ଦାଶ, ପ୍ରକଳ୍ପ ମୁଖ୍ୟ ପରିଚାଳକ ଇଂ. ପ୍ରିୟବ୍ରତ ସାମନ୍ତରାୟ, ନିର୍ବାହୀ ଯନ୍ତ୍ରୀ ଇଂ. ଚୈତନ୍ୟ ମାଝି ଓ ବଂଶଲ କମ୍ପାନୀ ପକ୍ଷରୁ ଇଂ. ଭକ୍ତହରି ଜେନା ଉପସ୍ଥିତ ଥିଲେ। ଏ ଅବସରରେ ନୀଳମାଧବ ପୂଜକ ସମାଜ ପକ୍ଷରୁ ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ନୀଳମାଧବ ମିଶ୍ର, ଉପସଭାପତି ସରୋଜ କୁମାର ମିଶ୍ରଙ୍କ ସମେତ ଅନ୍ୟ ସେବାୟତମାନେ ସଚିବ ଯାଦବଙ୍କୁ ସାକ୍ଷାତ କରି ବିକାଶ ପ୍ରକଳ୍ପ ମଧ୍ୟରେ ଅର୍ନ୍ତଭୁକ୍ତ ନ ଥିବା ଏକ ଆନନ୍ଦ ବଜାର, ହନୁମାନ ମନ୍ଦିର ପଛ ପାର୍ଶ୍ୱରେ ଏକ ୱାଚ ଟାୱାର ନିର୍ମାଣ, ସେବାୟତମାନଙ୍କ ପାଇଁ ଏକ ନିଯୋଗ ଗୃହ ନିର୍ମାଣ ସହ ବ୍ରାହ୍ମାଦ୍ରୀ ଓ ପଦ୍ମାଦ୍ରୀ ପାହାଡ଼ ଉପରେ ବିରାଜିତ ଶ୍ରୀନୀଳମାଧବ ଜୀଉ ମନ୍ଦିର ଚତୁଃପାର୍ଶ୍ୱକୁ ଆଲୋକୀକରଣ ଓ ସୌନ୍ଦର୍ଯ୍ୟ କରଣ କରି ମନ୍ଦିର ପାହାଡ଼ର କିଛି ଅଂଶକୁ ସମତୁଲ କରି ପର୍ଯ୍ୟଟକମାନଙ୍କ ଚିତ୍ତ ବିନୋଦନ ପାଇଁ ଏକ ପାର୍କ ନିର୍ମାଣ ସହ ଅନ୍ୟ କେତେକ ଦାବି ଲିଖିତ ଭାବେ ଜଣାଇଥିଲେ। ତେବେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ଯାଦବ ସୂଚନା ଦେବା ସହିତ ଅସନ୍ତା ୧୦ ଦିନ ମଧ୍ୟରେ ଆନନ୍ଦ ବଜାର ନିର୍ମାଣ କରିବାକୁ ଉପସ୍ଥିତ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବା ଜଣାଯାଇଛି।