ଭବାନୀପାଟଣା,୨୨ା୧୦(ଡି.ଏନ୍.ଏ.): ଆସନ୍ତା ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଛତର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।
ଗୋଟିଏ ସ୍ଥାନରେ ୪ରୁ ଊଦ୍ଧର୍ବ ଲୋକ ରହିପାରିବେ ନାହିଁ । ଏନେଇ କଳାହାଣ୍ଡି ଜିଲାପାଳ ପରାଗ ହର୍ଷଦ ସୂଚନା ଦେଇଛନ୍ତି। ବିନା ଭକ୍ତରେ ପାରମ୍ପରିକ ସମସ୍ତ ରୀତିନୀତି ଅନୁଯାୟୀ ଛତର ଯାତ୍ରା ଅନୁଷ୍ଠିତ ହେବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଣ୍ଡପକୁ କୌଣସି ବ୍ୟକ୍ତିବିଶେଷ ପୂଜା କରିବା କିମ୍ବା ଦେଖିବା ପାଇଁ ଆସି ପାରିବେ ନାହିଁ। ଯେ କୌଣସି ପୂଜା କମିଟି ଏହି ନିର୍ଦ୍ଦେଶବଳୀର ଅବମାନନା କରନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତଥା ୧ ଲକ୍ଷ ଟଙ୍କା ଜରିମାନା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।