ପୁରୀ ଅଫିସ,୧୮।୭: ବାହୁଡ଼ା ଯାତ୍ରା ପାଇଁ ଏସ୍ଓପିକୁ କଡ଼ାକଡ଼ି ପାଳନ କରାଯିବ। ଆସନ୍ତା ୧୯ ତାରିଖ ରାତି ୮ରୁ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି ହେବ। ଏହି ସମୟ ମଧ୍ୟରେ ବଡ଼ଦାଣ୍ଡ, ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲ୍, ଲଜ୍, ଧର୍ମଶାଳା, ଗେଷ୍ଟହାଉସ୍ ବନ୍ଦ ରହିବ। ଲଜ୍, ଧର୍ମଶାଳା ପ୍ରଭୃତି ୧୮ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ହୋଇ ନ ଥିବା ଲୋକେ କାହାରି ଘରେ ରହୁଥିବା ଜଣାପଡ଼ିଲେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ସମୟରେ ବଡ଼ଦାଣ୍ଡ ଥିବା ସମସ୍ତ ଦୋକାନ ବଜାର, ଔଷଧ ଦୋକାନ, ବାଣିଜି୍ୟକ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ବନ୍ଦ ରହିବ। କୌଣସି ଯାତ୍ରୀବାହୀ ବସ୍ କିମ୍ବା ଟ୍ରେନ୍ ଜିଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ। କେବଳ ସ୍ବୀକୃତିପ୍ରାପ୍ତ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଗାଡ଼ି ଚଳାଚଳ କରିବ। ବଡ଼ଦାଣ୍ଡକୁ ଛାଡ଼ି ସବୁଠି ଔଷଧ, ଡାକ୍ତରୀ ଉପକରଣ ଓ ଚଷମା ଦୋକାନ ଖୋଲା ରହିବ। ହୋଟେଲ୍ ଓ ରେଷ୍ଟୁରାଣ୍ଟ ଦ୍ୱାରା ହୋମ୍ ଡେଲିଭରି ହେବ। ଜିଲା ମଧ୍ୟକୁ ଥିବା ୮ଟି ପ୍ରବେଶ ଦ୍ୱାରକୁ ସିଲ୍ କରାଯିବ। କେବଳ ବିଦ୍ୟୁତ୍, ଜଳ ଯୋଗାଣ, ଟେଲିକମ୍, ପୋଲିସ ଓ ସୁରକ୍ଷା ପ୍ରଦାନ ସଂକ୍ରାନ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଶନିବାର ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।