ଯୋଡାରେ ୧୪୪ ଧାରା କୋହଳ

ଯୋଡା,୧୫।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ସହରରେ ଲାଗିଥିବା ୧୪୪ ଧାରା ଶୁକ୍ରବାର କୋହଳ କରାଯାଇଛି। ତେବେ ଅତ୍ୟାବଶ୍ୟୟ ସାମଗ୍ରୀ କିଣାକିଣି ପାଇଁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ସନ୍ଧ୍ୟା ୫ଟା ପରେ ପୂର୍ବଭଳି କଟକଣା ବଳବତ୍ତର ରହିବ।

ସୂଚନାନୁସାରେ, ରାମନବମୀ ଅବସରରେ ଏକ ଶିବ ମନ୍ଦିରରେ ଝଣ୍ଡା ଲଗାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଉଭୟ ଗୋଷ୍ଠୀ ମାରପିଟ୍‌ ହେବା ସହ ପରସ୍ପରକୁ ଟେକାପଥର ମାଡ କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରିଥିଲେ ଉତ୍ତେଜନା ଥମି ନ ଥିଲା। ଅଳ୍ପସଂଖ୍ୟକ ପୋଲିସ ଫୋର୍ସ ଥିବାରୁ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ।

Share