Categories: ବାଣିଜ୍ୟ

ରିଲାଏନ୍ସ ଜିଓର ସୁରକ୍ଷା ସଚେତନତା ଅଭିଯାନ

ଭୁବନେଶ୍ୱର,୧।୨: ରିଲାଏନ୍ସ ଜିଓ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ୟୁନିଟ୍‌ ପକ୍ଷରୁ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶାଖା କାର୍ଯ୍ୟାଳୟ ଓ କ୍ଷେତ୍ର ସ୍ତରୀୟ ସ୍ଥଳଗୁଡିକରେ ମଧ୍ୟ ପାଳନ କରାଯାଇଥିଲା। ଏହି ଅବସରରେ ରିଲାଏନ୍ସ ଜିଓର ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ୩୫ତମ ଜାତୀୟ ସଡ଼କ ସୁରକ୍ଷା ମାସକୁ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବା ସହିତ ସଡ଼କ ନିରାପତ୍ତା ଅଭ୍ୟାସ ଉପରେ ଅନେକ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଥିଲେ। ଏପରିକି ମାସବ୍ୟାପୀ ପାଳନ କରାଯାଉଥିବା ଉକ୍ତ କାର୍ଯ୍ୟକ୍ରମ ୨୦୨୪ ଫେବୃଆରୀ ୧୦ରେ ଉଦ୍‌ଯାପନ ହେବ। ଅପରପକ୍ଷରେ ‘ଜଣେ ସଡ଼କ ସୁରକ୍ଷା ହିରୋ ହୁଅନ୍ତୁ’ ବିଷୟବସ୍ତୁ ଉପରେ ଆଧାରିତ ଏହି ଜାତୀୟ ସଡ଼କ ସୁରକ୍ଷା ମାସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି, ସଡ଼କ ସୁରକ୍ଷା, ନିରାପଦ ଗାଡି ଚାଳନା ଜୀବନ ରକ୍ଷା ଏବଂ ସଡ଼କ ଦୁର୍ଘଟଣା ହ୍ରାସ ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ସେହିଭଳି ଗମନାଗମନର ପ୍ରମୁଖ ନିରାପତ୍ତାମୂଳକ ପଦକ୍ଷେପଗୁଡିକର ଗୁରୁତ୍ୱକୁ ଏହି ସୁରକ୍ଷା ସଚେତନତା ଅଭିଯାନ ଅବସରରେ ପୁନଃ ସୁଦୃଢ଼ୀକରଣ ସହ ସଡ଼କ ସୁରକ୍ଷା ନିମନ୍ତେ ଶପଥ ପାଠ ଏବଂ ସମଗ୍ର ଓଡ଼ିଶାରେ ତାଲିମ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସେହିପରି ଦୀର୍ଘ ମାସେବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ସଡ଼କ ସୁରକ୍ଷା ଉପରେ ରୋଡ ଶୋ, ଚଳଚ୍ଚିତ୍ର ପ୍ରଦର୍ଶନ, ଗୀତ, ସ୍ଲୋଗାନ୍‌ ଲେଖିବା ପ୍ରତିଯୋଗିତା, ଚିତ୍ରାଙ୍କନ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା, ଯାନବାହନଗୁଡିକର ଯାଞ୍ଚ ଏବଂ ସଡ଼କ ସୁରକ୍ଷା ହିରୋମାନଙ୍କୁ ପୁଷ୍ପ, ଚକୋଲେଟ ଏବଂ ବ୍ୟାଜ୍‌ ବଣ୍ଟନ ଆଦି ସାମିଲ ରହିଛି।

Share