ଡେରାଡୁନ୍,୭।୧: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସୁରକ୍ଷାରେ ଏକ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି। ଉଧମ ସିଂ ନଗରର କାଶୀପୁରରେ ତାଙ୍କ ସାଧାରଣ ସଭାରେ ଜଣେ ଯୁବକ ହାତରେ ଛୁରି ଧରି ମଞ୍ଚ ଉପରକୁ ଚଢିଥିଲେ। ଏହା ଦେଖି ସେଠାରେ ଆତଙ୍କ ଖେଳିଯାଇଥିଲା। ଏହାଦେଖି ସମସ୍ତ ନେତା ମଞ୍ଚରୁ ଓହ୍ଲାଇଥିଲେ। ଯୁବ କଂଗ୍ରେସ କର୍ମୀମାନେ ତାଙ୍କୁ ଧରି ଛୁରି ଛଡ଼ାଇ ନେଇ ମଞ୍ଚରୁ ଓହ୍ଲାଇଥିଲେ। କୁହାଯାଉଛି ଛୁରି ଧରିଥିବା ଯୁବକ ଜଣଙ୍କ ମାନସିକ ବିକୃତ। ପରେ ଯୁବକଙ୍କୁ ପୋଲିସ ହସ୍ତାନ୍ତର କରାଯାଇଥିଲା। ସେ ମଧ୍ୟ କିଛି ଦିନ ପୂର୍ବରୁ ଟାୱାର ଉପରକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିବାକୁ ଜିଦ ଧରିଥିଲେ। ଯୁବ କଂଗ୍ରେସର ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଥିବା ପ୍ରଭାତ ସାହଣୀ ଦେଇଥିବା ତାହିର ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି।