ଭାରତ ହାତରେ ସୁରକ୍ଷା ପରିଷଦ ଡୋର, ପାକିସ୍ତାନର ବଢ଼ିଲା ଚିନ୍ତା…

ଜେନେଭା,୧।୮: ଭାରତ ହାତରେ ଏବେ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଡୋର ରହିବ। ସମ୍ପୂର୍ଣ୍ଣ ମାସେ ପାଇଁ ଜାତିସଂଘ ସୁରକ୍ଷା ପରିଷଦ ଭାରତ ନିର୍ଦ୍ଦେଶରେ କାର୍ଯ୍ୟ କରିବ। ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଅଗଷ୍ଟ୧ରୁ ଗ୍ରହଣ କରିଛି। ଅଗଷ୍ଟ୨ରୁ ଭାରତ ପ୍ରଥମ କାର୍ଯ୍ୟ ଦିବସ ଆରମ୍ଭ ହେବ। ଭାରତ ଏହି ସମୟ ମଧ୍ୟରେ ନିରପେକ୍ଷ ଭାବେ କାର୍ଯ୍ୟ କରିବା ସହିତ ସାମୁଦ୍ରିକ ସୁରକ୍ଷା, ଶାନ୍ତି ରକ୍ଷା ଏବଂ ଆତଙ୍କବାଦ ବିରୋଧୀ ପ୍ରସଙ୍ଗ ଉପରେ ଧ୍ୟାନ ଦେବ ଏବଂ ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବ ଏବଂ ଉପଯୁକ୍ତ ରଣନୀତି ଗ୍ରହଣ ଉପରେ ଗୁରୁତ୍ୱ ଦେବ। ତେବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବରେ ଭାରତ କାର୍ଯ୍ୟ କରୁଥିବାରୁ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୁଯୋଗର ଉପଯୋଗ କରି ପାକିସ୍ତାନ ଉପରେ କଡ଼ା କଟକଣା ସହିତ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସେ ନେଇ ପାକିସ୍ତାନ ପ୍ରଧଓାନନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆଖିରୁ ଏବେ ନିଦ ହଜିଯାଇଛି। ଏପରିସ୍ଥଳେ ପାକିସ୍ତାନୀ ୱେବସାଇଟ ଡନ ଅନୁଯାୟୀ, ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ଭାରତ ନିଜର ଏକ ମାସ କାର୍ଯ୍ୟକାଳ ମଧ୍ୟରେ ନିରପେକ୍ଷତାକୁ ପ୍ରାଥମିକତା ଦେବ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାହିଦ ହାଫିଜ ଚୌଧୁରୀ ଡନର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ପାକିସ୍ତାନ ଆଶା କରୁଛି ଭାରତ ନିଜ କାର୍ଯ୍ୟକାଳ ମଧ୍ୟରେ ସୁରକ୍ଷା ପରିଷଦର ଅଧ୍ୟକ୍ଷଙ୍କ ଆଚରଣକୁ ନିୟନ୍ତ୍ରଣ କରୁଥିବା ପ୍ରଯୁଜ୍ୟ ନିୟମାବଳୀ ପାଳନ କରିବ।
ସୂଚନାଯୋଗ୍ୟ, ସୁରକ୍ଷା ପରିଷଦର ଜଣେ ସ୍ଥାୟୀ ସଦସ୍ୟ ଭାବରେ ଭାରତର ଦୁଇ ବର୍ଷର କାର୍ଯ୍ୟକାଳ ୨୦୨୧ ଜାନୁୟାରୀ ୧ରେ ଆରମ୍ଭ ହୋଇଥିଲା। ୨୦୨୧-୨୨ କାର୍ଯ୍ୟକାଳ ମଧ୍ୟରେ ସୁରକ୍ଷା ପରିଷଦର ଜଣେ ସ୍ଥାୟୀ ସଦସ୍ୟ ଭାବରେ ଏହା ଭାରତର ପ୍ରଥମ ଅଧ୍ୟକ୍ଷତା। ଆସନ୍ତା ବର୍ଷ ଡିସେମ୍ବରରେ ଭାରତ ପୁଣି ସୁରକ୍ଷା ପରିଷଦର ଅଧ୍ୟକ୍ଷ ହେବ।

Share