୧୭ ତାଲିବାନୀ ମନ୍ତ୍ରୀଙ୍କ ଉପରେ ଝୁଲୁଛି ସୁରକ୍ଷା ପରିଷଦ ଖଣ୍ଡା…

ଜେନେଭା/କାବୁଲ,୧୧।୯: ତାଲିବାନର ନୂଆ ସରକାରରେ ୩୩ ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭ ଜଣଙ୍କ ଉପରେ ଜାତିସଂଘ ସୁରକ୍ଷା ପରିଷଦରେ ଅନୁମୋଦିତ ହୋଇଥିବା ୨୫୯୩ତମ ପ୍ରସ୍ତାବର ଖଣ୍ଡା। ସେମାନଙ୍କୁ ସୁରକ୍ଷା ପରିଷଦର ୧୨୬୭ କମିଟି ପ୍ରତିବନ୍ଧିତ ସୂଚୀରେ ୧୯୯୯ରେ ତାଲିକାଭୁକ୍ତ କରାଯାଇଥିଲା। ଭାରତ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଭାରତ ୧୨୬୭ କମିଟିର ଅଧ୍ୟକ୍ଷତା କରିବ। ଭାରତ ଅଧ୍ୟକ୍ଷତାରେ ୨୦୨୧ ଅଗଷ୍ଟ ୩୦ରେ ୨୫୯୩ ତମ ପ୍ରସ୍ତାବକୁ ଅନୁମୋଦିତ କରାଯାଇଛି।

ତାଲିବାନ କ୍ୟାବିନେଟ୍‌ ମନ୍ତ୍ରୀଙ୍କୁ ୨୫୯୩ତମ ପ୍ରସ୍ତାବ ଅନୁସାରେ ୧୨୬୭ କମିଟି ଅନ୍ତର୍ଗତ ପଦବୀରୁ ହଟାଯିବାର ଆଶଙ୍କା ସୃଷ୍ଟି ହୋଇଛି। ୨୫୯୩ ପ୍ରସ୍ତାବର ଦ୍ୱିତୀୟ ପରିଚ୍ଛେଦରେ ଲେଇଖ କରାଯାଇଛି ଯେ, ଆଫଗାନିସ୍ତାନକୁ କୌଣସି ଦେଶକୁ ଧମକ ଦେବା, ଆତଙ୍କବାଦୀଙ୍କୁ ଶରଣ, ଆତଙ୍କବାଦୀଙ୍କୁ ତାଲିମ କିମ୍ବା ଅନ୍ୟ ଦେଶ ଉପରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ବ୍ୟବହାର କରାଯାଇ ପାରିବ ନାହଁ। ୨୫୯୩ତମ ପ୍ରସ୍ତାବ ଅନ୍ତର୍ଗତ ସେଭଳି ନେତା ଅବା ସଂଗଠନ ବିରୋଧରେ ୧୨୬୭ କମିଟି ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି।

ତେବେ ତାଲିବାନକୁ ଏକ ଆତଙ୍କବାଦୀ ସଂଗଠନ ଭାବେ ଏଥିରେ ସାମିଲ କରାଯାଇ ନାହିଁ। ମାତ୍ର ସଂଗଠନର ବହୁ ନେତା ୧୨୬୭ କମିଟି ଅନୁସାରେ ପ୍ରତିବନ୍ଧିତ ସୂଚିରେ ତାଲିକାଭୁକ୍ତ। ଏଥିରେ ଗୃହମନ୍ତ୍ରୀ ସିରାଜୁଦ୍ଦିନ୍‌ ହକ୍କାନୀଙ୍କ ନାମ ରହିଛି। ତାଙ୍କ ମୁଣ୍ଡ ଉପରେ ୩୬ କୋଟି ଟଙ୍କାର ପୁରସ୍କାର ରହିଛି। ସେହିପରି ଗୁପ୍ତଚର ସଂସ୍ଥା ମୁଖ୍ୟ ଅବ୍ଦୁଲ୍‌ ହକ୍‌ ଓ୍ବାସିକ୍‌, ଉପ ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ଫଜଲ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଖୈରୁଲାହ୍‌ ଖୈରଖ୍ବା, ସୀମା ଏବଂ ଜନଜାତିମାମଲା ମନ୍ତ୍ରୀ ନୁରୁଲ୍ଲା ନୁରି ପ୍ରମୁଖଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି।

ଯଦି ତାଲିବାନ୍‌ ଅଲ୍‌-କାଏଦା, ଜୈଶ୍‌-ଇ-ମହମ୍ମଦ, ଳଶ୍କର-ଇ-ତୋଏବା, ତହରିକ୍‌-ଇ- ତାଲିବାନ୍‌ ଆଦି ପ୍ରତିବନ୍ଧିତ ସଂଗଠନଗୁଡ଼ିକୁ ସହାୟତା କରେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୨୫୯୩ ପ୍ରସ୍ତାବରେ ଉଲେଖ କରାଯାଇଛି।

Share