ଶ୍ରୀନଗର, ୨୨।୯: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ମଙ୍ଗଳବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ୯୨-ବେସ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୁଦଗାମ୍ର ଚରାର-ଇ-ଶରିଫ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇ ସୋମବାର ସନ୍ଧ୍ୟାରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ସାରା ରାତି ଏଠାରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିଲା। ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତ୍ମସମର୍ପଣ ପାଇଁ ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା।