Advertisement
Categories: ଜାତୀୟ

VIDEO: ବିଧାନସଭାରୁ ଭାଜପା ବିଧାୟକଙ୍କୁ ଟେକି ନେଇ ବାହାର କରିଦେଲେ ସୁରକ୍ଷାକର୍ମୀ, ରାଜ୍ୟରେ ହଇଚଇ

ବେଙ୍ଗାଲୁରୁ,୨୧।୩: ୪୮ ଜଣ ନେତାଙ୍କୁ ହନି ଟ୍ରାପ କରିବା ଅଭିଯୋଗ ପରେ କର୍ନାଟକ ବିଧାନସଭାରେ ଶୁକ୍ରବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିଧାନସଭାର ଭାଜପା ବିଧାୟକମାନେ ବାଚସ୍ପତିଙ୍କ ଚୌକି ଉପରେ କାଗଜପତ୍ର ଫିଙ୍ଗି ବିଧାନସଭାର କାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି। ଯାହାପରେ ୧୮ ଜଣ ଭାଜପା ବିଧାୟକଙ୍କୁ ଛଅ ମାସ ପାଇଁ ନିଲମ୍ବିତ କରିବା ପାଇଁ କର୍ନାଟକ ବିଧାନସଭା ଏକ ବିଲ ପାସ ହୋଇଛି। ଏହି ବିଲକୁ କର୍ନାଟକ ଆଇନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏଚ.କେ. ଆଗତ କରିଛନ୍ତି।

ଏସବୁ ପରେ ବିଧାନସଭାରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ସେହି ୧୮ଜଣ ବିଧାୟକଙ୍କୁ ନିଲମ୍ବନ ପରେ ସୁରକ୍ଷାକର୍ମୀମାନେ ଟେକି ଟେକି ବାହାରକୁ ଆଣୁଛନ୍ତି। ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସୁରକ୍ଷାକର୍ମୀମାନେ ଭାଜପା ବିଧାୟକଙ୍କୁ କାନ୍ଧରେ ବୋହି ନେଉଥିବାର ଦେଖିବାକୁ ମିଳୁଛି।

୧୮ ଜଣ ବିଜେପି ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯିବା ସମ୍ପର୍କରେ କର୍ନାଟକ ମନ୍ତ୍ରୀ ଏମବି ପାଟିଲ କହିଛନ୍ତି, “ସଦସ୍ୟମାନେ ଏପରି ବ୍ୟବହାର କରିବା ସମ୍ପୂର୍ଣ୍ଣ ଅନୁପଯୁକ୍ତ। ସେମାନେ ବିଧାନସଭାରେ ସମସ୍ତ ସମ୍ଭାବ୍ୟ ନିୟମ ଉଲ୍ଲଂଘନ କରିଥିଲେ। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ୧୮ ଜଣ ନିଲମ୍ବିତ ଭାଜପା ବିଧାୟକଙ୍କ ମଧ୍ୟରେ ଡୋଡ୍ଡାନାଗୌଡା ପାଟିଲ, ଅଶ୍ୱଥ ନାରାୟଣ, ମୁନିରତ୍ନ ମଧ୍ୟ ସାମିଲ ଅଛନ୍ତି।

ଗୁରୁବାର ଦିନ କର୍ନାଟକ ସରକାରଙ୍କ ମନ୍ତ୍ରୀ କେ.ଏନ. ରାଜନ୍ନା ଗୃହରେ କହିଥିଲେ ଯେ କେନ୍ଦ୍ରୀୟ ନେତାଙ୍କ ସମେତ ଅତି କମରେ ୪୮ ଜଣ ନେତା ହନି ଟ୍ରାପରେ ଫସି ଯାଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ପ୍ରସଙ୍ଗ କୌଣସି ଗୋଟିଏ ଦଳ ପର୍ଯ୍ୟନ୍ତ ସୀମିତ ନୁହେଁ। ଏହା ପରେ, ଆଜି ଅର୍ଥାତ ଶୁକ୍ରବାର, ଭାଜପା ବିଧାୟକମାନେ ଗୃହରେ ହଙ୍ଗାମା କରିଥିଲେ, କାରଣ କିଛି କଂଗ୍ରେସ ବିଧାୟକ ହାତରେ ଏକ ସିଡି ଧରି ଦାବି କରୁଥିଲେ ଯେ ସେମାନଙ୍କ ପାଖରେ ହନି ଟ୍ରାପର ପ୍ରମାଣ ଅଛି।

Share