Categories: ଜାତୀୟ

ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ, ୩ ଯବାନ ଶହୀଦ,୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୧।୮ : ଅଗଷ୍ଟ ୧୫ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ ଷଡଯନ୍ତ୍ର ବିଫଳ ହୋଇଛି। ଜମ୍ମୁ ପରଗଲରେ ଉରି ଆକ୍ରମଣ ଭଳି ଏକ ଷଡଯନ୍ତ୍ରକୁ ସୁରକ୍ଷା ବାହିନୀଙ୍କ ଦ୍ୱାରା ପଣ୍ଡ କରାଯାଇଛି। ସେନା ଶିବିରରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀ ସୁରକ୍ଷା ବାହିନୀଙ୍କ ଗୁଳିରେ ନିହତ ହୋଇଛନ୍ତି। ତେବେ ଏହି ଆକ୍ରମଣରେ ତିନିଜଣ ଯବାନ ଶହୀଦ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଏନଆଇ ଅନୁଯାୟୀ ଆତଙ୍କବାଦୀମାନେ ରାଜୌରୀର ଦାରହାଲ ଅଞ୍ଚଳର ପରଗଲରେ ସେନାର କ୍ୟାମ୍ପ ବାଡ଼ ଡେଇଁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ଯବାନମାନେ ସନ୍ଦିଗ୍ଧମାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଏଡିଜିପି ମୁକେଶ ସିଂ କହିଛନ୍ତି ଯେ ଦାରହଲ ପୋଲିସ ଷ୍ଟେଶନଠାରୁ ୬ କିମି ଦୂରରେ ଥିବା ଅନ୍ୟ ଦଳ ମଧ୍ୟ କ୍ୟାମ୍ପ ଆଡକୁ ପଠାଯାଇଛି।

ସୂଚନାଯୋଗ୍ୟ, ୨୦୧୬ ରେ ଚାରି ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଉରି ସେନା ମୁଖ୍ୟାଳୟ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୯ ଜଣ ଯବାନ ଶହୀଦ ହୋଇଥିଲେ। ୩୦ ଜଣ ଯବାନ ଆହତ ହୋଇଥିବାବେଳେ ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିସହିତ ଭାରତ ମଧ୍ୟ ପାକ୍‌ ଅଧିକୃତ କଶ୍ମୀରରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲା। ଏଥିରେ ଆତଙ୍କବାଦୀ ଲଞ୍ଚ ପ୍ୟାଡଗୁଡିକ ନଷ୍ଟ ହୋଇଯାଇଥିଲା

Share