ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ହିଞ୍ଜିଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ହିଞ୍ଜିଳିକାଟୁ,୨୫ା୩(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି। ଏହି ଦିନିକିଆ ଗସ୍ତରେ ପ୍ରାୟ ୧୫ ମାସ ପରେ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଲୋକାର୍ପଣ, ଭିତିପ୍ରସ୍ତର ସ୍ଥାପନ ସହ ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସମସ୍ତ ତଦାରଖ ଚୂଡ଼ାନ୍ତ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜୋ୍ୟାତି ପରିଡ଼ା, ଡିଆରଡିଏ ଗଞ୍ଜାମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି କୀର୍ତ୍ତିଭାସନ, ଏଡିଏମ୍‌(ରାଜସ୍ବ) ପ୍ରିୟ ରଞ୍ଜନ ପୃଷ୍ଟି, ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ପ୍ରମୁଖ ଗତ ୨ ଦିନ ଧରି ବିଭିନ୍ନ ସମୟରେ ହିଞ୍ଜିଳି ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତନତନ କରି ତଦାରଖ କରିଛନ୍ତି। ପ୍ରାୟ ୧୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀ ସହ ପୋଲିସ ଅଫିସରମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ ପାଇଁ ପ୍ରସ୍ତୁତି କରାଯାଇଛି। ହିଞ୍ଜିଳିକାଟୁ ସହରର ଜାତୀୟ ରାଜପଥ ନଂ-୫୯ ଉଭୟ କଡ଼ରେ ବ୍ୟାରିକେଡ୍‌ ନିର୍ମାଣ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସହର ମଧ୍ୟ ଦେଇ ସମସ୍ତ ୪ ଚକିଆ ଓ ଊର୍ଦ୍ଧ୍ୱ ଯାନକୁ ଅନ୍ୟ ରାସ୍ତା ଦେଇ ସହର ବାହାରେ ଯିବାକୁ ସ୍ଥିର ହୋଇଛି। ରବିବାର ମଧ୍ୟାହ୍ନ ୧୨.୧୦ରେ କବିସୂର୍ଯ୍ୟନଗରରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ବ୍ଲକ ସମରଝୋଳ ମେଘମାଳା ତୋଟାରେ ପହଞ୍ଚି ନିକଟରେ ଥିବା ସାଧାରଣ ସଭାରେ ଯୋଗ ଦେବେ। ସାଧାରଣ ସଭା ପରେ ସମରଝୋଳରୁ ହିଞ୍ଜିଳିକାଟୁରେ ପହଞ୍ଚିବେ। ମଧ୍ୟାହ୍ନଭୋଜନ ସାରି ଛତ୍ରପୁର ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।