ପ୍ରଧାନମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଚଣ୍ଡିଖୋଲ/ବଡ଼ଚଣା,୫ା୩ (ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନରେ ଯାଜପୁର ଜିଲା ଚଣ୍ଡିଖୋଲ ଆସିବେ। ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆରେ ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ କେତେକ ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରଯାଇଛି। ସୋମବାର ଡିଜିପି ଘଟଣାସ୍ଥଳ ପରିଦର୍ଶନ କରି ଫେରିଛନ୍ତି। ସୋମବାର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ତଥା ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ପୋଲିସ ଅଧିକାରୀମାନଙ୍କୁ ସୁରକ୍ଷା ସମ୍ପର୍କିତ ନିୟମାବଳୀ ବୁଝାଇ ଥିଲେ। ସେଥିପାଇଁ ୩୨୦୦ ରୁ ଅଧିକ ପୋଲିସ ନିୟୋଜିତ ହୋଇଛନ୍ତି। ଆଜି କେନ୍ଦ୍ରାଞ୍ଚଳ ଡିଆଇଜି ସିଂହ ସୂଚନା ଦେଇଛନ୍ତି, ୫ଟି ବୋମା ବିସ୍ଫୋରକ ନିୟନ୍ତ୍ରଣ ଟିମ ନିୟୋଜିତ ହୋଇଛନ୍ତି। ୫ ଜଣ ଏସ୍‌ପି, ଓ ୫ ଜଣ କମାଣ୍ଡଣ୍ଟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ୟାରିକେଡ଼ ରିହଲସଲ ସରିଯାଇଛି। ସମଗ୍ର ଏରିଆକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। ହେଲିପ୍ୟାଡ ସ୍ଥଳ, ଶିଳାନ୍ୟାସ ଉତ୍ସବ ଓ ସାଧାରଣ ସଭା ସ୍ଥଳ ପ୍ରମୁଖ ୩ ଟି ସ୍ଥାନରେ ବିଭକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଆସି ଓହ୍ଲାଇବା ପରେ ଏକ ଖୋଲା ଗାଡ଼ିରେ ସଭାସ୍ଥଳ ଚାରିପଟ ବୁଲିବେ। ଏହା ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ସେହି ଗାଡ଼ିରେ ସଭାସ୍ଥଳକୁ ଆସିବେ। ସେଥିପାଇଁ ଉକ୍ତ ଗାଡ଼ି ଉତ୍ତର ପ୍ରଦେଶରୁ ଆସିଛି।

Share