ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀଙ୍କ ସୁରକ୍ଷା ବଢ଼ିବ

ଭୁବନେଶ୍ୱର,୨୦।୯(ଅନିଲ ଦାସ): ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ ଆଦି କାର୍ଯ୍ୟକ୍ରମରେ ସୁରକ୍ଷା ଦେବା ପାଇଁ ଏକ ଉତ୍ସର୍ଗୀକୃତ(ଡେଡିକେଟେଡ୍‌) ଟିମ୍‌ ରହିବ। ଏହି ଟିମ୍‌ରେ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ ର଼୍ୟାଙ୍କ୍‌ର ଅଫିସର ରହିବେ। ଏଥିସହିତ ୪ଜଣ ସଶସ୍ତ୍ର ପୋଲିସ ସବ୍‌ଇନ୍ସପେକ୍ଟର, ହାବିଲଦାର ଓ କନ୍‌ଷ୍ଟେବଲଙ୍କୁ ନିଯୁକ୍ତି କରାଯିବ। ସେହିପରି ନବୀନ ନିବାସର ସୁରକ୍ଷାକୁ ମଧ୍ୟ ଆହୁରି କଡ଼ାକଡ଼ି କରାଯିବ। ନବୀନ ନିବାସର ସୁରକ୍ଷା ପାଇଁ ସଶସ୍ତ୍ର ସବ୍‌ଇନ୍ସପେକ୍ଟରଙ୍କ ସମେତ ୯୧ ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ। ସେହିପରି ସୁରକ୍ଷା କର୍ମୀଙ୍କୁ ତାଲିମ ଦେବା ପାଇଁ ତାଲିମ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏଥିପାଇଁ ନୂତନ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ସେହିପରି ଓଡ଼ିଶା ବିଧାନସଭା ବାଚସ୍ପତି, ଉପବାଚସ୍ପତି ଏବଂ ମନ୍ତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ୭୨ ଜଣ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ। ଏଥିସହିତ ସମୁଦାୟ ୨୦୩ଟି ନୂତନ ପଦବୀ ସୃଷ୍ଟି କରାଯାଇଛି।

Share