ସିଡ୍‌ ଲେଡି

ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷିକ୍ଷେତ୍ର ଉପରେ ବିଶେଷଭାବେ ପଡ଼ିଥିବା ଅନ୍ତର୍ଜାତୀୟ ସ୍ତରରେ ଏକ ଆଲୋଚ୍ୟ ବିଷୟ। ଭାରତରେ ମୌସୁମୀର ଅନିୟମିତତା ଯୋଗୁ ମରୁଡ଼ି ଭଳି ସ୍ଥିତି ଉପୁଜୁଛି। ଧାନ ଚାଷ ଲାଗି ପ୍ରଚୁର ପାଣିର ଆବଶ୍ୟକତା ଥିବା ବେଳେ ଏହାର ଅଭାବ ଅସ୍ବାଭାବିକତା ଆଣିଦେଉଛି। ସେଥିଲାଗି କୃଷି ବୈଜ୍ଞାନିକମାନେ ଅଧିକ ଅମଳକ୍ଷମ, କମ୍‌ ଜଳ ଓ ସ୍ଥଳବିଶେଷରେ ବନ୍ୟାପ୍ଲାବିତ ଅଞ୍ଚଳରେ ହୋଇପାରୁଥିବା ଚାଷ, ଲୁଣିପାଣି ମାଡ଼ିଯାଉଥିବା ଖେତକୁ ଦେଖି ବିଭିନ୍ନ ପ୍ରକାର ବିହନ ବିକଶିତ କରିବାରେ ଲାଗିଛନ୍ତି। ଭାରତ ଭଳି ବିଶାଳ ଜନସଂଖ୍ୟାବହୁଳ ଦେଶର ଲୋକଙ୍କୁ ଖାଦ୍ୟ ଯୋଗାଇବା ସର୍ବଦା ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଯେଉଁ କୃଷି ବିଜ୍ଞାନୀ ଏହି କ୍ଷେତ୍ରରେ ନୂତନ ଉଦ୍ଭାବନ କିମ୍ବା ନୂଆ କିଛି କରି ଲୋକଙ୍କ ଚାହିଦା ମେଣ୍ଟାଇବାରେ ସଫଳକାମ ହୋଇଥାଆନ୍ତି, ନିଶ୍ଚିତ ଭାବେ ସେମାନେ ପ୍ରଶଂସାଯୋଗ୍ୟ। ଓଡ଼ିଆ ବୈଜ୍ଞାନିକ ଡକ୍ଟର ସ୍ବାତୀ ନାୟକ ଖାଦ୍ୟ ଓ ପୁଷ୍ଟିଜନିତ ନିରାପତ୍ତା ଓ କ୍ଷୁଧା ନିବାରଣ ଦିଗରେ ଅସାଧାରଣ କାର୍ଯ୍ୟ କରିପାରିଥିବାରୁ ସେ ୪୦ ବର୍ଷରୁ କମ୍‌ ବୈଜ୍ଞାନିକ ବର୍ଗରେ ମର୍ଯ୍ୟାଦାଜନକ ‘ନର୍ମାନ ବୋରଲାଗ ଫିଲ୍ଡ ଆଓ୍ବାର୍ଡ ୨୦୨୩’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆମେରିକା ଆଇଓ୍ବାର ଦେସ୍‌ ମେଇନେସ୍‌ଠାରେ ଅକ୍ଟୋବର ୨୪-୨୬ରେ ଅନୁଷ୍ଠିତ ହେବାକୁ ଥିବା ନର୍ମାନ୍‌ ଇ. ବୋରଲାଗ ଇଣ୍ଟରନ୍ୟାଶନାଲ ସିମ୍ପୋଜିୟମ୍‌ରେ ତାଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ, ନୋବେଲ ପୁରସ୍କାରପ୍ରାପ୍ତ ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ସବୁଜ ବିପ୍ଳବର ମୁଖ୍ୟ ସ୍ଥପତି ଡକ୍ଟର ନର୍ମାନ୍‌ ବୋରଲାଗଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ।

 

– ଜିତେନ୍ଦ୍ର କୁମାର ନାୟକ