Advertisement

ଚାଷୀଙ୍କୁ ଦେଖି ଦୌଡ଼ିଲେ କୁନ୍ଦୁରା ଲାମ୍ପସ କର୍ମଚାରୀ

ଜୟପୁର, ୨୧ା୩(ନି.ପ୍ର.):କୋରାପୁଟ ଜିଲା କୁନ୍ଦୁରା ଲାମ୍ପରେ ଜାଲ ଦସ୍ତଖତ କରି ଚାଷୀଙ୍କ ବହୁ ପରିମାଣର ଟଙ୍କା ଲୁଟ୍‌ ହୋଇଛି। ଏହା ଜାଣିବା ପରେ ଚାଷୀ ଚିନ୍ତାରେ ପଡିଛନ୍ତି। ଏ ସମ୍ପର୍କରେ ଜାଣିବାକୁ ଚାଷୀମାନେ କୁନ୍ଦୁରା ଲାମ୍ପସକୁ ଯିବାରୁ ଚାଷୀଙ୍କୁ ଦେଖି ଲାମ୍ପ କର୍ମଚାରୀମାନେ କାର୍ଯ୍ୟାଳୟରେ ତାଲା ପକାଇ ଦୌଡି ପଳାଇଥିଲେ। ଶେଷରେ ଚାଷୀମାନେ ଜୟପୁରସ୍ଥିତ ଉପ ନିବନ୍ଧକ ସମବାୟ ସମିତି ସମୂହଙ୍କ କାଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି। ଡିଆରସିଏସ୍‌ଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟରେ ଦାବିପତ୍ର ଦେଇଛନ୍ତି ା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ଆମେ ଝଡଙ୍ଗା, ପ୍ରଧାନିପୁଟ, ଲିମା ଅଞ୍ଚଳର ଚାଷୀମାନେ କୁନ୍ଦୁରା ଲାମ୍ପସରୁ ୨୦, ୨୫ ହଜାର ଲେଖାଏ ଟଙ୍କା ଚାଷ ଋଣ ନେଇଥିଲୁ। ତେବେ ପାସ୍‌ବୁକ୍‌ ଯାଞ୍ଚ କରିବାରୁ ଆମମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ରହିଥିବା ଜାଣିବାକୁ ପାଇଥିଲୁ। ଲାମ୍ପସକୁ ପଚାରିବାକୁ ଯିବାରୁ କର୍ମଚାରୀମାନେ ଚାବି ପକାଇ ଚାଲି ଯାଇଥିଲେ। ଏପରି ଭାବେ କୁନ୍ଦୁରା ବ୍ଲକର ୧୬ଟି ପଞ୍ଚାୟତର ଶତାଧିକ ଚାଷୀଙ୍କ ଟଙ୍କା ସେମାନଙ୍କ ଜାଲ ଦସ୍ତଖତ ଓ ବଟୁ ଚିହ୍ନ ମାରି ଉଠାଯାଇଥିବା ଚାଷୀ ଅଭିଯୋଗ କରିଛନ୍ତି। ସାର, ଔଷଧ କ୍ରୟ କରିବା ନାମରେ ମଧ୍ୟ ସେମାନଙ୍କ ନାମରେ ଋଣ କରାଯାଇଛି। ସବୁ ଚାଷୀଙ୍କ ପାସ ବୁକ ଓ ଚେକ୍‌ ବୁକ ରଖି ସେମାନଙ୍କ ନାମରେ ଦସ୍ତଖତ ଜାଲ କରି ଟଙ୍କା ଲୁଟ୍‌ କରିଛନ୍ତି ା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଚାଷୀ ଦାବି କରିଛନ୍ତି। ଯଦି ସେମାନଙ୍କ ସମସ୍ୟା ସମାଧାନ ନ ହୁଏ ତେବେ କୁ୍‌ନ୍ଦୁରା ଲାମ୍ପସ୍‌ରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଡିଆରସିଏସ୍‌ କାର୍ଯ୍ୟାଳୟକୁ ଚାଷୀ ଜେନା ଲମତା, ଲକ୍ଷ୍ମଣ ସ୍ବାଇଁ, ମନଧର ନାୟକ, ସନ୍ତୋଷ କଟିଆ, ଦୀନବନ୍ଧୁ ନାୟକ, କମଳ ଲୋଚନ ଲମତା, ହରିପ୍ରିୟା ଲମତାଙ୍କ ସମେତ ଅନ୍ୟମାନେ ଯାଇଥିଲେ।