Categories: ଜାତୀୟ

କ୍ଷମା ନୁହେଁ, ସମାଧାନ ଚାହୁଁ

ଲକ୍ଷ୍ନୌ, ୨୩।୧୧: ବିବାଦୀୟ ୩ କୃଷି ଆଇନ ପ୍ରତ୍ୟାହାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ସୋମବାର ଲକ୍ଷ୍ନୌରେ କିଷାନ ମହାପଞ୍ଚାୟତ ଅନୁଷ୍ଠିତ ହୋଇଯାଇଛି। ଆନୁଷ୍ଠାନିକ ଭାବେ ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତାମାନେ କହିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଗ୍ୟାରେଣ୍ଟି ପ୍ରଦାନ ଲାଗି ଆଇନ ଆଣିବା ଏବଂ ଲଖିମପୁର ଖେରି ହିଂସା ପାଇଁ ଦାୟୀ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବହିଷ୍କାର କରିବା ଲାଗି ମହାପଞ୍ଚାୟତରେ କୃଷକ ସଂଗଠନଗୁଡ଼ିକ ଦାବି କରିଥିଲେ। କୃଷି ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲେ ହେଁ ଚାଷୀମାନଙ୍କର ଅନେକ ସମସ୍ୟା ସମାଧାନ ପାଇଁ ବାକି ରହିଛି ବୋଲି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ କହିଛନ୍ତି। ଦେଶବ୍ୟାପୀ ଶାନ୍ତିପୂର୍ଣ୍ଣ ଚାଷୀ ଆନ୍ଦୋଳନ ଜାରି ରହିବ। ସରକାର ଆଲୋଚନାକୁ ଆସି ବାସ୍ତବ ଅର୍ଥରେ ଆଇନ ପ୍ରତ୍ୟାହାର ହେଲା ବୋଲି ସ୍ପଷ୍ଟ କରନ୍ତୁ। ଏହା ପରେ ଆନ୍ଦୋଳନସ୍ଥଳରୁ କୃଷକମାନେ ଫେରିଯିବେ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିବା ବେଳେ କ୍ଷମା ମାଗିଥିଲେ। କ୍ଷମା ମାଗିବା ଆବଶ୍ୟକ ନାହିଁ, ଚାଷୀଙ୍କ ସମସ୍ୟାର ସମାଧାନ ହେବା ଜରୁରୀ ବୋଲି ଟିକାଏତ୍‌ କହିଛନ୍ତି।
ଏସ୍‌କେଏମ୍‌ ରବିବାର ପ୍ରଧାନମନ୍ତ୍ରୀଙ୍କୁ ଏକ ଖୋଲି ଚିଠି ଲେଖି ଚାଷୀମାନଙ୍କ ଅନ୍ୟ ୬ଟି ଦାବିର ସମାଧାନ ପାଇଁ ପୁଣିଥରେ ଆଲୋଚନା ଆରମ୍ଭ କରିବାକୁ ଅନୁରୋଧ କରାଯାଇଥିଲା। ସେମାନେ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର, ଚାଷୀଙ୍କ ବିରୋଧରେ ରୁଜୁ ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନେବା ଆଦି ଦାବି କରିଛନ୍ତି।
କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନୁମୋଦନକୁ ଅପେକ୍ଷା କରାଯାଇଛି। ୩ଟି ଆଇନ ପ୍ରତ୍ୟାହାର ଲାଗି ଗୋଟିଏ ବିଲ୍‌ ଅଣାଯିବ। ଏମ୍‌ଏସ୍‌ପି ପ୍ରସଙ୍ଗର ସମାଧାନ ପାଇଁ କୃଷି ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ୩ କୃଷି ଆଇନକୁ ନେଇ ଗଢ଼ାଯାଇଥିବା ସମସ୍ତ ବୋର୍ଡକୁ ବନ୍ଦ କରିଦେବା ଲାଗି ପ୍ରସ୍ତାବିତ ବିଲ୍‌ରେ ବ୍ୟବସ୍ଥା ରହିବ। ସେହିପରି ଉକ୍ତ ଆଇନ ଅଧୀନରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତି ମଧ୍ୟ ରଦ୍ଦ ହୋଇଯିବ। ବିବାଦୀୟ କୃଷି ଆଇନକୁ ନେଇ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଚାଷୀ ଆନ୍ଦୋଳନ ଜାରି ରହିବା ପରେ ଉକ୍ତ ଆଇନକୁ ପ୍ରତ୍ୟାହାର କରିନେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆଗକୁ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ହାତରୁ କ୍ଷମତା ଖସିଯିବା ଆଶଙ୍କାରେ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Share