Categories: ଫୁରସତ

ସଚେତନତା ଲୋଡ଼ା

ଯେତେ ପ୍ରକାରର ମାନସିକ ସମସ୍ୟା ରହିଛି ସେଥିମଧ୍ୟରୁ ସ୍କିଜୋଫ୍ରେନିୟା ହେଉଛି ସବୁଠାରୁ ଗମ୍ଭୀର ସମସ୍ୟା। ଏଥିରେ ରୋଗୀର ବ୍ୟବହାର ଓ ଚିନ୍ତା କରିବାର ଶକ୍ତି ମୁଖତଃ ପ୍ରଭାବିତ ହୋଇଥାଏ। ପ୍ରତି ବର୍ଷ ମେ’ ୨୪ ତାରିଖରେ ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନ କରାଯାଇଥାଏ। ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୨.୫ କୋଟି ଲୋକ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ସ୍କିଜୋଫ୍ରେନିୟା ଆମ ଦେଶରେ ପ୍ରତି ଶହେ ଜଣରେ ଜଣକୁ ହୋଇଥାଏ। ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଲୋକମାନଙ୍କ ମଧ୍ୟରେ ସଚେତନତାର ଘୋର ଅଭାବ ରହିଛି, ଯାହାଫଳରେ ରୋଗୀ ଠିକ୍‌ ସମୟରେ ଉଚିତ ଚିକିତ୍ସା ପାଇ ପାରୁନାହାନ୍ତି।
ସ୍କିଜୋଫ୍ରେନିୟା ରୋଗ ମୁଖ୍ୟତଃ ୧୫-୩୫ ବର୍ଷ ଭିତରେ ଆରମ୍ଭ ହୋଇଥାଏ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହା ଅଧିକ ଦେଖାଯାଇଥାଏ। ଏହି ରୋଗ ଦ୍ୱାରା ବ୍ୟକ୍ତିର ବ୍ୟବହାର, ଭାବନା, ଆବେଗ ଓ କାର୍ଯ୍ୟଦକ୍ଷତା ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ରୋଗୀ ଏକୁଟିଆ ରହିବାକୁ ପସନ୍ଦ କରେ। ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ। ନିଜର ଦୈନନ୍ଦିନ କାର୍ଯ୍ୟକୁ ଠିକ୍‌ ଭାବେ କରିପାରେ ନାହିଁ ଏବଂ ନିଦ କମିଯାଏ। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅନ୍ୟମାନଙ୍କ ଉପରେ ସନ୍ଦେହ କରିଥାଏ। ରୋଗୀ ମନରେ ସବୁବେଳେ ଡର ଓ ଭୟର ଭାବନା ଦେଖା ଯାଇଥାଏ। ରୋଗୀ କିଛି କାରଣ ନ ଥାଇ କଥା ଶୁଣାଯାଉଛି ଓ ଶୂନ୍ୟବାଣୀ ହେଉଛି ବୋଲି କହିଥାଏ। କେତେକ ରୋଗୀ ନ ଥିବା ବସ୍ତୁ ବା ବ୍ୟକ୍ତିଙ୍କୁ ଦେଖିପାରୁଛନ୍ତି ବୋଲି ମଧ୍ୟ କହିଥାନ୍ତି। ରୋଗୀମାନେ ବେଳେ ବେଳେ ଏ ସବୁ ଅନୁଭବ ପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଏହି ପ୍ରତିକ୍ରିୟାରେ ସେମାନେ ନିଜେ ମନେ ମନେ କଥା ହୁଅନ୍ତି। ଶୂନ୍ୟରେ ଜବାବ ଦିଅନ୍ତି, ମନକୁ ମନ ହସନ୍ତି ଓ କାନ୍ଦନ୍ତି। ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ଓ ଉତ୍ତେଜିତ ହୋଇପଡ଼ନ୍ତି । ସେମାନେ ଘରୋଇ ଦାୟିତ୍ୱ ନେବା, କର୍ମ କ୍ଷେତ୍ରରେ କାର୍ଯ୍ୟଭାର ନେବା ଓ ବିଭିନ୍ନ ସାମାଜିକ ପରିସ୍ଥିତିରେ ନିଜକୁ ଖାପଖୁଆଇ ଚଳାଇବାରେ ଅସମର୍ଥ ହୁଅନ୍ତି। କେତେକ ରୋଗୀ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥାନ୍ତି। ଅନେକ ରୋଗୀ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ ମଧ୍ୟ କରିଥାନ୍ତି।
ମସ୍ତିଷ୍କରେ ମୁଖ୍ୟତଃ ଡୋପାମିନ ନାମକ ରାସାୟନିକ ପଦାର୍ଥ (ନ୍ୟୁରୋଟ୍ରାନ୍ସମିଟର)ର ମାତ୍ରା ବୃଦ୍ଧି ଯୋଗୁ ଏହି ରୋଗ ହୋଇଥାଏ। ଏହା ଜିନ୍‌ଗତ କାରଣ କିମ୍ବା ପାରିପାର୍ଶ୍ୱିକ ଚାପ କାରଣରୁ ହୋଇପାରେ। ଏହି ରୋଗ ଅନେକାଂଶରେ ବଂଶାନୁଗତିକ ହୋଇଥାଏ। ଅନୁସନ୍ଧାନରୁ ଜଣାପଡ଼ିଛି ଯଦି ପରିବାରରେ ମାତାପିତାଙ୍କ ମଧ୍ୟରୁ ଜଣେ କାହାକୁ ସ୍କିଜୋଫ୍ରେନିୟା ହୋଇଥାଏ, ତେବେ ତାଙ୍କ ପିଲାଙ୍କୁ ଏହି ରୋଗ ହେବାର ପ୍ରାୟତଃ ୧୦ ପ୍ରତିଶତ ଆଶଙ୍କା ଥାଏ।
ସ୍କିଜୋଫ୍ରେନିୟା ଏକ ଜଟିଳ ରୋଗ ହେଲେ ମଧ୍ୟ ଏହାର ଚିକିତ୍ସା ସହଜରେ କରିହେବ। ଏଥିନିମନ୍ତେ ତୁରନ୍ତ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ ଜରୁରୀ। ପ୍ରାରମ୍ଭିକ ଅବସ୍ଥାରେ ରୋଗର ଲକ୍ଷଣକୁ ଚିହ୍ନିବାରେ ପରିବାରର ସଦସ୍ୟମାନେ ସାଧାରଣତଃ ବିଳମ୍ବ କରିଥାଆନ୍ତି। କେତେକ ଲୋକ ସ୍କିଜୋଫ୍ରେନିୟା ରୋଗ ଓ ତଜ୍ଜନିତ ବ୍ୟବହାରକୁ ରୋଗର ଲକ୍ଷଣ ନ ମାନି, ଆମ ସମାଜରେ ପ୍ରଚଳିତ ଅନ୍ଧବିଶ୍ୱାସ ଯୋଗୁ ରୋଗୀକୁ ଗୁଣିଗାରେଡ଼ି ପାଖକୁ ନେଇ ଅଯଥା ସମୟ ନଷ୍ଟ କରାଇଥାନ୍ତି। ଏ ସବୁ ଦ୍ୱାରା ରୋଗର ପ୍ରକୋପ ବଢ଼େ ଓ ଡେରିରେ ଚିକିତ୍ସା ଆରମ୍ଭ କଲେ ବେଶି ଦିନ ଔଷଧ ସେବନ କରିବାକୁ ପଡ଼ିଥାଏ କିମ୍ବା ରୋଗୀ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବାର ଆଶଙ୍କା କମି ଯାଇଥାଏ।
ସ୍କିଜୋଫ୍ରେନିୟାର ଚିକିତ୍ସା ପାଇଁ ଔଷଧ (ଆଣ୍ଟିସାଇକୋଟିକ) ଗୁଡ଼ିକୁ ମୁଖ୍ୟତଃ ଟାବ୍ଲେଟ ମାଧ୍ୟମରେ ଯାଇଥାଏ। କେତେକ ରୋଗୀ ଔଷଧ ଖାଇବାକୁ ରାଜି ହୋଇ ନ ଥାନ୍ତି, ସେହି କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଔଷଧଗୁଡ଼ିକୁ ଇଞ୍ଜେକଶନ୍‌ ମାଧ୍ୟମରେ ଦିଆଯାଇଥାଏ। ବର୍ତ୍ତମାନ ସ୍କିଜୋଫ୍ରେନିୟାର ଚିକିତ୍ସା ନିମନ୍ତେ ଅନେକ ଉନ୍ନତ ଧରଣର ଔଷଧ ବ୍ୟବହାର କରାଗଲାଣି, ଯାହାର ବ୍ୟବହାର ଯୋଗୁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନାହିଁ। ଆଜିକାଲି ଏହି ଔଷଧଗୁଡ଼ିକ ଖୁବ୍‌ କମ୍‌ ଦାମ୍‌ରେ ମଧ୍ୟ ଉପଲବ୍ଧ ହେଉଛି। ସ୍କିଜୋଫ୍ରେନିୟାର ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଔଷଧର ଏକ ନିର୍ଦ୍ଦିଷ୍ଟ କୋର୍ସ ରହିଥାଏ। ଏହି କୋର୍ସ ଅନୁସାରେ ଔଷଧ ଖାଇଲେ ଆଉ ରୋଗର ଲକ୍ଷଣ ଦେଖାଯାଇ ନ ଥାଏ। ରୋଗର ତୀବ୍ରତା କମିଲେ ଔଷଧଗୁଡ଼ିକର ମାତ୍ରା ମଧ୍ୟ ଧୀରେ ଧୀରେ କମାଇ ଦିଆଯାଏ। ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ପୂର୍ବରୁ ଔଷଧ ବନ୍ଦ କରି ଦେଲେ ରୋଗ ପୁନର୍ବାର ଦେଖାଯିବାର ଆଶଙ୍କା ଦେଖାଯାଇଥାଏ। ଜାଣି ରଖିବା ଉଚିତ ଯେ ଏହି ଔଷଧଗୁଡ଼ିକୁ ଖାଇଲେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଉପରେ କୌଣସି ଖରାପ ପ୍ରଭାବ ପଡ଼ି ନ ଥାଏ କିମ୍ବା ଏହା ଅଭ୍ୟାସରେ ପଡ଼ିଯାଏ ନାହିଁ। ଏହି ରୋଗର ଚିକିତ୍ସା ପାଇଁ କେତେଦିନ ପର୍ଯ୍ୟନ୍ତ ଔଷଧ ଖାଇବାକୁ ପଡ଼ିବ ତାହା ରୋଗୀ ଓ ତାଙ୍କର ପରିବାରର ଲୋକମାନେ ଡାକ୍ତରଙ୍କଠାରୁ ବୁଝି ରଖିବା ଜରୁରୀ। ଔଷଧ ଛଡ଼ା ମନସ୍ତାତ୍ତ୍ୱିକ ଚିକିତ୍ସା (କାଉନ୍‌ସେଲିଂ) ସହିତ ରୋଗୀର ସାମାଜିକ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ମଧ୍ୟ ଦରକାର ପଡ଼ିଥାଏ।
ସରକାରଙ୍କ ତରଫରୁ ସ୍କିଜୋଫ୍ରେନିୟା ଆକ୍ରାନ୍ତ ରୋଗୀଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ କରାଯାଉଛି। ଯାହାଫଳରେ ସେମାନେ ଅନେକ ସୁବିଧା ଓ ସୁଯୋଗ ପାଇ ପାରୁଛନ୍ତି। ବିଶ୍ୱ ସ୍କିଜୋଫ୍ରେନିୟା ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ଏହି ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, ଯାହାଫଳରେ ପ୍ରାରମ୍ଭିକ ଅବସ୍ଥାରେ ଏହି ରୋଗକୁ ଚିହ୍ନଟ କରାଯାଇପାରିବ ଓ ରୋଗୀଙ୍କୁ ଠିକ୍‌ ଚିକିତ୍ସା ପ୍ରଦାନ କରାଯାଇ ପାରିବ। ଏହାଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ।
– ଡା. ସତ୍ୟକାମ ମହାପାତ୍ର,
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ: ୮୪୫୬୯୧୫୫୦୬

Share