ବ୍ୟବସ୍ଥାରେ ପରିବର୍ତ୍ତନ ଲୋଡ଼ା

ବୈକୁଣ୍ଠନାଥ ମିଶ୍ର

 

ଡ. ମନମୋହନ ସିଂହଙ୍କର ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଉଦାରୀକରଣ ଅର୍ଥନୀତି ପ୍ରଚଳନ ପୂର୍ବରୁ ଦେଶ ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା। ଦେଶ ଏକପ୍ରକାର ଦେବାଳିଆ ସ୍ଥିତିକୁ ଆସିଯାଇଥିଲା। ନିଯୁକ୍ତି କ୍ଷେତ୍ରରେ ଦୀର୍ଘଦିନ ଧରି ନିୟନ୍ତ୍ରଣ ଲାଗି ରହିଥିବାରୁ ବେକାରି ବୃଦ୍ଧି ପାଇଲା। ଅବଶ୍ୟ ଘରୋଇକରଣ ପ୍ରକ୍ରିୟା ନିଯୁକ୍ତିକୁ କେତେକାଂଶରେ ତ୍ୱରାନ୍ବିତ କରିଥିଲେ ମଧ୍ୟ ଏହା ଥିଲା ସମୁଦ୍ରକୁ ଶଙ୍ଖେ ସଦୃଶ। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ବେଳକୁ ବେକାରି ଉତ୍କଟ ରୂପ ଧାରଣ କରିସାରିଥିଲା। ପ୍ରତିବର୍ଷ ହୁ ହୁ ହୋଇ ବଢୁଥିବା ବେରୋଜଗାର ଯୁବତୀ ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇବା ଯେ କୌଣସି ସରକାର ପ୍ରତି ଏକ ଆହ୍ବାନ। ତେଣୁ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟିହେଲା ଏକ ତଣ୍ଟିକଟା ପ୍ରତିଯୋଗିତା। ଏହାର ସୁଯୋଗ ନେଇ ଦେଶ ତଥା ରାଜ୍ୟଗୁଡ଼ିକରେ ଚାକିରି ଆଶାୟୀଙ୍କ ପାଇଁ ସୃଷ୍ଟି ହେଲା ଲୋଭନୀୟ କୋଚିଂ ସେଣ୍ଟର। କୋଚିଂ ସେଣ୍ଟରଗୁଡ଼ିକ ନିଜ ନିଜର ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ଆଶାୟୀମାନଙ୍କୁ ଆକର୍ଷିତ କରିବାରେ ଲାଗିଲେ। ଏପରି ପରିସ୍ଥିତି ସୃଷ୍ଟି ହେଲା ଯେ ଛାତ୍ରୀଛାତ୍ର ଏବଂ ତାଙ୍କ ମାତାପିତା କୋଚିଂ ସେଣ୍ଟରଗୁଡ଼ିକର କରାଳ ଫାଶରେ ଆବଦ୍ଧ ହୋଇଗଲେ। ଚାକିରି ଆଶାୟୀମାନେ ସେଥିରେ ନିକ୍ଷିପ୍ତ ହୋଇ ନିଜର ସତ୍ତା ହରାଇବାକୁ ଲାଗିଲେ।
ଭାରତର ବିଭିନ୍ନ ରାଜ୍ୟର ଶିକ୍ଷାର୍ଥୀମାନେ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ବିଭିନ୍ନ ବୈଷୟିକ ଶିକ୍ଷାରେ ସଫଳତା ଅର୍ଜନ ପାଇଁ ବିଭିନ୍ନ କୋଚିଂ ସେଣ୍ଟର ଉପରେ ନିର୍ଭର କରନ୍ତି। କୋଚିଂ ସେଣ୍ଟରଗୁଡ଼ିକ ମଧ୍ୟରେ ରାଜସ୍ଥାନର କୋଟା ସହରର ଏକ ସ୍ବତନ୍ତ୍ର ପରିଚୟ ଅଛି। ଏଠାରେ କୋଚିଂ ନେଉଥିବା ପିଲାଙ୍କ ମାତାପିତା କେବଳ ଆର୍ଥିକ ଦୃଷ୍ଟିରୁ ସବଳ ନୁହନ୍ତି; ବରଂ ସେମାନଙ୍କ ଭିତରୁ ଅଧିକାଂଶ ଉଚ୍ଚ ପଦବୀଧାରୀ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ। ମାତ୍ର ପରିତାପର ବିଷୟ, ଏଠାରେ ଶିକ୍ଷାର୍ଜନ କରିବାକୁ ଆସୁଥିବା ବହୁ ଛାତ୍ରୀଛାତ୍ର ଆଶାନୁରୂପ ଫଳ ପ୍ରଦର୍ଶନ କରି ନ ପାରିବାର ଆତ୍ମଗ୍ଳାନି ସେମାନଙ୍କୁ ଆତ୍ମହତ୍ୟା ପାଇଁ ବାଟ କଢ଼ାଇ ଦେଉଛି। ନିକଟରେ ପ୍ରଧାନମନ୍ତ୍ରୀ ବାର୍ଷିକ ଫୋନ୍‌ ପେ’ ଚର୍ଚ୍ଚା କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ଅବସାଦ ମୁକ୍ତ ରହି ପରୀକ୍ଷାକୁ ସାମ୍‌ନା କରିବାକୁ ଯେଉଁଦିନ ପରାମର୍ଶ ଦେଇଥିଲେ, ଠିକ୍‌ ସେହିଦିନ ଗଭୀର ଅବସାଦଗ୍ରସ୍ତ ହୋଇ କୋଟାର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏ ଘଟଣାର ଠିକ୍‌ ଏକ ସପ୍ତାହ ପୂର୍ବରୁ ଆଉ ଜଣେ ଛାତ୍ରୀ ସମାନ କାରଣ ପାଇଁ ଆତ୍ମହତ୍ୟା କରିଥିଲେ। ଦିନକୁ ଚଉଦ/ପନ୍ଦର ଘଣ୍ଟା ପରିଶ୍ରମ କରି ମଧ୍ୟ ଯେତେବେଳେ ସେମାନେ ଅନୁଭବ କରୁଛନ୍ତି ଯେ, ମାତାପିତାଙ୍କର ଆଶା ପୂରଣ କରିବାରେ ସେମାନେ ସମର୍ଥ ନୁହନ୍ତି ତେଣୁ ସେମାନେ ସ୍ବଇଚ୍ଛାରେ ମୃତ୍ୟୁପଥର ଯାତ୍ରୀ ସାଜୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ କୋଟାରେ ଆତ୍ମହତ୍ୟା କରିଛନ୍ତି ତିରିଶ ଜଣ ଛାତ୍ରୀଛାତ୍ର। ଉକ୍ତ ସଂସ୍ଥାର ସୂଚନା ଅନୁଯାୟୀ, ୨୦୧୫ରୁ ପ୍ରତିବର୍ଷ କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଇଚାଲିଛି। ଏନସିଆର୍‌ବି ତଥ୍ୟ କହେ, ୨୦୨୦ରେ ବିଭିନ୍ନ କୋଚିଂ ସେଣ୍ଟରରେ ୧୧,୩୯୬ ଛାତ୍ରୀଛାତ୍ର ଆମତ୍ହତ୍ୟା କରିଛନ୍ତି। ୨୦୨୨ରେ ଏହି ସଂଖ୍ୟା ବୃଦ୍ଧିପାଇ ପହଞ୍ଚତ୍ଥିଲା ୧୩,୦୦୦ରେ। ଏନସିଆର୍‌ବି ତଥ୍ୟ ଅନୁସାରେ, ପ୍ରତି ୧୦ଜଣଙ୍କ ମଧ୍ୟରୁ ଚାରିଜଣ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ପ୍ରଶାସନର ଆତ୍ମହତ୍ୟା ନିରାକରଣର ବ୍ୟବସ୍ଥା ଆଦୌ ପର୍ଯ୍ୟାପ୍ତ ନୁହେଁ। ଗତବର୍ଷ ରାଜସ୍ଥାନ ପ୍ରଶାସନ ନିଷ୍ପତ୍ତି ନେଇଥିଲା ଯେ, ବିଦ୍ୟାର୍ଥୀମାନଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ଦିଆଯିବ ଓ ଉଭୟ ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କର ମାନସିକ ସ୍ଥିତିର ଅନୁଧ୍ୟାନ କରାଯିବ। କିନ୍ତୁ ତାହା ଫଳପ୍ରଦ ହୋଇନାହିଁ।
ଅଧିକାଂଶ ମାତାପିତା ଶୈଶବର ପ୍ରାରମ୍ଭରୁ ପିଲାମାନଙ୍କୁ କୋଚିଂ ସେଣ୍ଟରରେ ଭର୍ତ୍ତି କରୁଛନ୍ତି। କୋଚିଂ ସେଣ୍ଟରଗୁଡ଼ିକରେ ବୈଷୟିକ ଶିକ୍ଷାପ୍ରାପ୍ତି ଓ ତଜ୍ଜନିତ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରବଳ ଅର୍ଥ ରୋଜଗାର କରିବାର ଲକ୍ଷ୍ୟ ସବୁ ମା’ବାପାଙ୍କୁ ଏତେ ପ୍ରଲୋଭିତ କରିଛି ଯେ ପିଲାଙ୍କର ସାମର୍ଥ୍ୟ ପ୍ରତି ସେମାନେ ଏକପ୍ରକାର ଅନ୍ଧ ହୋଇଯାଉଛନ୍ତି। କୋଚିଂ ସେଣ୍ଟରର ଭିଡ଼ ଭିତରେ ବିଚରା ଶିକ୍ଷାର୍ଥୀଟି ଅଣନିଃଶ୍ୱାସୀ ହୋଇଯାଉଛି। ତା’ ମଧ୍ୟରେ ଥିବା ଆତ୍ମପ୍ରତ୍ୟୟ ହ୍ରାସ ପାଉଛି। ମା’ବାପାଙ୍କ ଇଚ୍ଛା ପୂରଣ ନ କରିପାରିବା ଓ ସମାଜରେ ମୁହଁ ଦେଖାଇବାକୁ ଭୟକରି ଶେଷରେ ଆତ୍ମହତ୍ୟା ଭଳି ଦାରୁଣ ପରିଣତିକୁ ଆଦରି ନେବାକୁ ବାଧ୍ୟ ହେଉଛନ୍ତି। କୋଚିଂ ସେଣ୍ଟରଗୁଡ଼ିକ ପିଲାର ଆବେଗକୁ ଉପେକ୍ଷାକରି ଯଥେଚ୍ଛାଚାର ଭାବରେ ସେମାନଙ୍କ ବ୍ୟବସାୟର ଉନ୍ନତୀକରଣରେ ମନୋନିବେଶ କରୁଛନ୍ତି। କୋଚିଂ ସେଣ୍ଟର କିମ୍ବା ମାତାପିତା କେହିହେଲେ ପିଲାର ଆବେଗ ପ୍ରତି ଯତ୍ନବାନ୍‌ ହେବା ମନେ ହେଉନାହିଁ। ଏ ସବୁକୁ ଦୃଷ୍ଟିରେ ରଖି ଭାରତ ସରକାର କୋଚିଂ ସେଣ୍ଟରଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ନିକଟରେ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ କୋଚିଂ ସେଣ୍ଟରଗୁଡ଼ିକର ସରକାରୀ ପଞ୍ଜୀକରଣ, ଉପଯୁକ୍ତ ଭିତ୍ତିଭୂମି, ପାଠପଢ଼ା ସମୟ, ପିଲାଙ୍କର ଆର୍ଥିକ ଦେୟ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ବିବରଣୀ ସ୍ଥାନ ପାଇଛି। ନିର୍ଦ୍ଦେଶନାମା ଅନୁସାରେ କୋଚିଂ ସେଣ୍ଟରରେ ସର୍ବାଧିକ ପଚାଶ ଛାତ୍ରୀଛାତ୍ର ଥିବେ, ଯେଉଁମାନଙ୍କର ବୟସ ଷୋହଳ ବର୍ଷରୁ ଅଧିକ ହୋଇଥିବ। ପାଠପଢ଼ା ସମୟ ୫ଘଣ୍ଟାରୁ ଅଧିକ ହେବନାହିଁ ବୋଲି ପ୍ରାବଧାନ ଜାରି କରାଯାଇଛି। ସମସ୍ତ ପରୀକ୍ଷାର ଫଳାଫଳ ସାର୍ବଜନୀନ କରା ନ ଯାଇ ଅତି ଗୋପନୀୟ ରଖାଯିବ। ଆବଶ୍ୟକ ସ୍ଥଳେ ଅଭିଭାବକଙ୍କ ସହ ଏ ବିଷୟରେ ଆଲୋଚନା କରାଯାଇ ଏକ ସୁଚିନ୍ତିତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ଆବଶ୍ୟକ।
ଏକ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ବର୍ତ୍ତମାନ ପ୍ରାୟ ୩୦ ହଜାରରୁ ଅଧିକ କୋଚିଂ ସେଣ୍ଟର ଅଛି। ନିର୍ଦ୍ଦେଶାବଳୀର ପରିବର୍ଦ୍ଧିତ ନିୟମ ଅନୁସାରେ ପ୍ରତି କୋଚିଂ ସେଣ୍ଟରରେ ଜଣେ ଦକ୍ଷ କର୍ତ୍ତୃପକ୍ଷ ରହିବା ଆବଶ୍ୟକ। ସରକାରଙ୍କ ପ୍ରଦତ୍ତ ନିୟମାବଳୀର ଉଲ୍ଲଂଘନ ପାଇଁ ପ୍ରଥମେ ୨୫ ହଜାର ଓ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ୧ ଲକ୍ଷ ଟଙ୍କାର ଅର୍ଥଦଣ୍ଡର ପ୍ରାବଧାନ ରହିଛି। ତୃତୀୟଥର ଉଲ୍ଲଂଘନ ହେଲେ ପ୍ରତିକାରର ସର୍ବଶେଷ ସ୍ବରୂପ ଅନୁସାରେ ପଞ୍ଜୀକରଣକୁ ପ୍ରତ୍ୟାହାର କରାଯିବ। ଏତେସବୁ ପ୍ରାବଧାନତା ସତ୍ତ୍ୱେ ଇଞ୍ଜିନିୟରିଂ, ମ୍ୟାନେଜ୍‌ମେଣ୍ଟ ଓ ଡାକ୍ତରୀ ଶିକ୍ଷାରେ ଗୁଣାତ୍ମକମାନ ରକ୍ଷା କରା ନ ଯିବାର ଅଭିଯୋଗ ପ୍ରାୟତଃ ଶ୍ରୁତିଗୋଚର ହେଉଛି।
ଯେଉଁମାନେ ବୁଦ୍ଧିମାନ୍‌, ମେଧାବୀ ଓ ପ୍ରଜ୍ଞାଶୀଳ ସେମାନେ ନିଜର ପସନ୍ଦ ଅନୁସାରେ ଯେ କୌଣସି ପ୍ରତିକୂଳତା ସତ୍ତ୍ୱେ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଉଛନ୍ତି। ଅନ୍ୟ ଯେଉଁମାନେ ଉପଯୁକ୍ତ ଧୀଶକ୍ତିସମ୍ପନ୍ନ ନ ହୋଇ କେବଳ ମାତାପିତାଙ୍କ ପ୍ରତିପତ୍ତି, ଧନସମ୍ପତ୍ତି ଓ କ୍ଷମତାକୁ ପୁଞ୍ଜିକରି ଏଥିରେ ପ୍ରବେଶ କରୁଛନ୍ତି ସେମାନେ ଅବଶ୍ୟ ବିପତ୍ତିକୁ ସାମ୍‌ନା କରୁଛନ୍ତି। ପଣ୍ଡିତ ଚାଣକ୍ୟ କହନ୍ତି – ଯେ ନିଜେ ପ୍ରଜ୍ଞାଶୀଳ ନୁହେଁ, ତାକୁ ଯେତେ ଯତ୍ନ କଲେ ମଧ୍ୟ ଫଳ ଶୂନ, ଯେପରି ଚକ୍ଷୁ ନ ଥିବା ବ୍ୟକ୍ତି ସାମ୍‌ନାରେ ଦର୍ପଣର ମୂଲ୍ୟ କିଛିନାହିଁ। ଅନେକ ଦରିଦ୍ର ମେଧାବୀ ଛାତ୍ର ନିଜ ପସନ୍ଦ ଅନୁଯାୟୀ ଉଚ୍ଚଶିକ୍ଷା ଲାଭରୁ ବଞ୍ଚତ୍ତ ହୋଇ ଜୀବନକୁ ଏକ ଅଭିଶାପ ମନେକରୁଛନ୍ତି। କ୍ୱଚିତ୍‌ କିଛି ଦରିଦ୍ର ମେଧାବୀ ନିଜ ଭାଗ୍ୟବଳରୁ ମେଡିକାଲ ଓ ଅନ୍ୟ ଉଚ୍ଚଶିକ୍ଷା ଲାଭର ସୁଯୋଗ ପାଉଛନ୍ତି। ସମସ୍ତେ ତ ସମାନ ଭାଗ୍ୟନେଇ ଜନ୍ମ ହୋଇନାହାନ୍ତି। ଆର୍ଥିକ ସୁଦୃଢ଼ ସମ୍ପନ୍ନ ପରିବାରର ଆପେକ୍ଷାକୃତ କମ୍‌ ମେଧାଯୁକ୍ତ ପିଲାଟି ଯେତେବେଳେ ଉଚ୍ଚ ବୈଷୟିକ ଶିକ୍ଷା ଲାଭର ସୁଯୋଗ ପାଉଛି, ସେହି ସ୍ଥାନରେ ଉଚ୍ଚ ମେଧାସମ୍ପନ୍ନ ଦରିଦ୍ର ପିଲାଟିର ମନ ଭାଙ୍ଗିଯାଉଛି। ଧନୀଘର ପିଲା ମେଧାବୀ ନ ହୋଇ ଆତ୍ମହତ୍ୟା କରୁଥିବା ବେଳେ ଦରିଦ୍ର ପିଲାଟି ଅର୍ଥାଭାବରୁ ଶିକ୍ଷାଲାଭ ନ କରିପାରି ଚରମ ପରିଣତି ଭୋଗ କରୁଛି। ବଡ଼ ବିଚିତ୍ର ଏ ବ୍ୟବସ୍ଥା।
ସିଦ୍ଧଳ-ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri