ଦୃଷ୍ଟିବାଧିତ ଶାନ୍ତିଲାଲ ନିର୍ବାଚନ ଲଢ଼ି ପାରିବେ: ସିଭିଲ କୋର୍ଟ

ନୂଆପଡ଼ା,୨।୮(ମକାରୁ ବେମାଲ):୨୦୨୨ ପଞ୍ଚାୟତ ନିର୍ବାଚନରେ ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ପଞ୍ଚାୟତ ଅଧୀନ ଦାବ୍ରିପଡାର ଦୃଷ୍ଟିବାଧିତ ଶାନ୍ତିଲାଲ ଶବର ସରପଞ୍ଚ ପ୍ରାର୍ଥୀରୁ ବାଦ୍‌ ପଡିବା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୨ ସରପଞ୍ଚ ନିର୍ବାଚନକୁ ନୂଆପଡା ସିଭିଲ କୋର୍ଟ ଅବୈଧ ଘୋଷାଣା କରି ପୁନଃ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉକି, ଶାନ୍ତିଲାଲ ଦୃଷ୍ଟିବାଧିତ ବୋଲି ତାଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଅଧିକାରୀ ଗ୍ରହଣ କରି ନ ଥିଲେ। ତାଙ୍କୁ ନିର୍ବାଚନ ଲଢ଼ି ପାରିବେ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ସେ ୨୦୧୭ ପଞ୍ଚାୟତ ନିର୍ବାଚନ ଲଢି ପରାଜିତ ହୋଇଥିଲେ। ଏହି ନିର୍ବାଚନରେ କାହିଁକି ଲଢିପାରିବେ ନାହିଁ ବୋଲି ଶାନ୍ତିଲାଲ ପ୍ରଶ୍ନ କରିଥିଲେ। ହେଲେ ନିର୍ବାଚନ ଅଧିକାରୀ କୌଣସି କଥା ଶୁଣି ନ ଥିଲେ। ଏହାକୁ ନେଇ ଶାନ୍ତିଲାଲ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ନୂଆପଡା ସିଭିଲ କୋର୍ଟ ସରପଞ୍ଚ ନିର୍ବାଚନ ଅବୈଧ ଘୋଷଣା ପରେ ବୃଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ହେଉଛି। ଯେଉଁ ନିର୍ବାଚନ ଅଧିକାରୀ ମନା କରିଥିଲେ, ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଶାନ୍ତିଲାଲ କହିଛନ୍ତି, ଧର୍ମର ଜୟ ହୋଇଛି। ଦିବ୍ୟାଙ୍ଗମାନଙ୍କ ଜୟ ହୋଇଛି। ମୁଁ ନିର୍ବାଚନ ଲଢି ପାରିବି ବୋଲି କୋର୍ଟ ରାୟ ଦେଇଛନ୍ତି। ଆଗାମୀ ନିର୍ବାଚନରେ ନିଶ୍ଚୟ ପ୍ରାର୍ଥତ୍ପତ୍ର ଦାଖଲ କରି ନିର୍ବାଚନ ଲଢିବି ବୋଲି ସେ କହିଛନ୍ତି।

Share