Categories: ଖେଳ

ମୁଁ ଆଗାମୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କ ମୁହଁ ଦେଖିବାକୁ ଚାହେଁନା: ସେହ୍ବାଗ

ନୂଆଦିଲ୍ଲୀ,୧୨।୧୧: ଭାରତର ଟି୨୦ ବିଶ୍ୱକପ୍‌ ୨୦୨୨ରେ ବାଜିମାତ୍‌ କରିବାର ସ୍ବପ୍ନ ଅଧାରେ ରହିଗଲା। ସେମିଫାଇନାଲରେ ଶୋଚନୀୟ ପରାଜୟ ପରେ ଭାରତୀୟ ଟିମ୍‌ରେ ପରିବର୍ତ୍ତନ ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ କହିଛନ୍ତି ଯେ, ସେ ଆସନ୍ତା ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହୁଁନାହାନ୍ତି। ପୁଣିଥରେ ଦଳ ଚାମ୍ପିୟନ ହେବାକୁ ଚାହୁଁଥିଲେ ୨୦୦୭ ଭଳି ରଣନୀତି ଆପଣାଉ। ବରିଷ୍ଠଙ୍କୁ ବାଦ୍‌ ଦେଇ ଯୁବ କ୍ରିକେଟରଙ୍କୁ ଆଗକୁ ଅଣାଯାଉ ବୋଲି ସେ କହିଛନ୍ତି।

କ୍ରିକବଜ୍‌ ସହ କଥାବାର୍ତ୍ତାରେ ସେହ୍ବାଗ କହିଛନ୍ତି, ମୁଁ ମାନସିକତା ଏବଂ ଅନ୍ୟାନ୍ୟ ବିଷୟରେ କହିବି ନାହିଁ, ହେଲେ ନିଶ୍ଚିତ ଭାବେ ଦଳରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛି। ପରବର୍ତ୍ତୀ ବିଶ୍ୱକପ୍‌ରେ କିଛି ଖେଳାଳିଙ୍କୁ ଦେଖିବାକୁ ଚାହେଁନାହିଁ। ୨୦୦୭ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ଏହା ଘଟିଛି। ବହୁ ବର୍ଷ ଧରି ଖେଳିଥିବା ଭେଟେରାନ ଖେଳାଳିମାନେ ସେହି ବିଶ୍ୱକପ୍‌କୁ ଯାଇ ନ ଥିଲେ। ଯୁବ ଖେଳାଳିଙ୍କ ଟିମ୍‌ ଯାଇଥିଲା, ଯେଉଁମାନଙ୍କଠାରୁ କେହି କିଛି ବି ଆଶା କରି ନ ଥିଲେ। ପରବର୍ତ୍ତୀ ଟି୨୦ ବିଶ୍ୱକପ୍‌ରେ ମଧ୍ୟ ସମାନ ଦଳ ଦେଖିବାକୁ ଚାହେଁ। ସେମାନେ ଜିତିବେ ବୋଲି କେହି ଆଶା କରିବେ ନାହିଁ। ହେଲେ ଭବିଷ୍ୟତ ପାଇଁ ସେହି ଦଳ ହେବ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତୁମେ ତୁମର ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କର ତେବେ ତୁମେ କେବଳ ଦୁଇ ବର୍ଷ ମଧ୍ୟରେ ଗୋଟିଏ ଟିମ୍‌ ଗଠନ କରିପାରିବ। ଯେଉଁମାନେ ପ୍ରଦର୍ଶନ କରୁନାହାନ୍ତି ଉକ୍ତ ବରିଷ୍ଠ ଖେଳାଳିଙ୍କୁ ମୁଁ ଆଗାମୀ ବିଶ୍ୱକପ୍‌ରେ ଦେଖିବାକୁ ଚାହୁଁନାହିଁ। ଆଶା ଯେ ଚୟନକର୍ତ୍ତାମନେ ଏଭଳି ନିଷ୍ପତ୍ତି ନେବେ। ହେଲେ ସମସ୍ୟା ଏହା ଯେ ଚୟନକର୍ତ୍ତାମାନେ ପରବର୍ତ୍ତୀ ବିଶ୍ୱକପ୍‌ ପର୍ଯ୍ୟନ୍ତ ରହିବେ କି? ହେଲେ ଯଦି ସେମାନେ ସମାନ ଦଳ ଏବଂ ସମାନ ଆଭିମୁଖ୍ୟ ସହ ବିଶ୍ୱକପ୍‌ ଖେଳନ୍ତି ତେବେ ଫଳାଫଳ ସମାନ ହେବ ବୋଲି ସେ କହିଛନ୍ତି।

Share