ଦକ୍ଷିଣଦିଆରେ ଗୋଚର ଜମି ଜବରଦଖଲ

ପଟ୍ଟାମୁଣ୍ଡାଇ, ୧୪ା୪(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ଦକ୍ଷିଣଦିଆ ଗ୍ରାମରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଗୋଚର, ଅନାବାଦୀ କିସମ ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ଉକ୍ତ ଜମିକୁ ପ୍ଳଟିଂ କରି ବିକ୍ରି କରୁଥିବା ପ୍ରତିବାଦରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ନିକଟରେ ସମ୍ପୃକ୍ତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ପାଖରେ ଥିବା ପ୍ଲଟ୍‌ କିଣି ଗୋଚର ଜମିକୁ ମିଶାଇ ବିକ୍ରିପଟ୍ଟା କରୁଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କୁ ଦିଆଯାଇଥିବା ଅଭିଯୋଗରେ ପଟ୍ଟାମୁଣ୍ଡାଇ ପୋରାଞ୍ଚଳ ଅନ୍ତର୍ଗତ ଦକ୍ଷିଣାଦିଆ ଗ୍ରାମରେ କେଉଁ ଅନାଦି କାଳରୁ ଏହି ଗୋଚର ପଡ଼ିଆ ପଡ଼ି ରହିଥିବାରୁ ଏଠାରେ ଗୋରୁ ଚରିବା ସହ ଗ୍ରାମର ପିଲାମାନେ କ୍ରିକେଟ, ଭଲିବଲ ଆଦି ଖେଳିଥାନ୍ତି। ମାତ୍ର ଆଳି ଅଞ୍ଚଳର ଜଣେ ବ୍ୟକ୍ତି ଏକ (ରିଆଲିଟି ରିୟାଲ ଇଷ୍ଟେଟ ପ୍ରାଇଭେଟି ଲିମିଟେଡ୍‌) ନାମକ ଏକ କମ୍ପାନୀ କରି ସେ ପାଖରୁ ୭୩୪ ନମ୍ବର ପ୍ଲଟ୍‌ କିଣି ତାକୁ ବିକ୍ରି କରିବା ସହ ୭୬୬ ନଂ. ପ୍ଲଟର କିଛି ଅଂଶ ବିକ୍ରି କରିବାର ଲାଗିଛନ୍ତି। ସେହି ପ୍ଲଟ୍‌ରେ ଏବେ ଏକ ଘର ହେଉଥିବାର ଦେଖି ଗ୍ରାମର କେତେଜଣ ଲୋକ ପ୍ରତିବାଦ କରିଥିଲେ। ମାତ୍ର ସମ୍ପୃକ୍ତ ବ୍ୟକ୍ତି ଜଣକ କେତେଜଣ ବ୍ୟକ୍ତିଙ୍କୁ ଗ୍ରାମ ମଧ୍ୟକୁ ଆଣି ଗ୍ରାମବାସୀଙ୍କୁ ଭୟଭୀତ କରାଇଛନ୍ତି। ତେବେ ଏହି ସ୍ଥାନରୁ ସମ୍ପୃକ୍ତ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ ଅନନ୍ତ ନାୟକ, ପରମାନନ୍ଦ ନାୟକ, ସୁଶାନ୍ତ ମଳିକ, ଦୁର୍ଯ୍ୟୋଧନ ମଳିକ, ନିରାକାର ମଳିକ, ତୁଷାର ନାୟକ, ଅମୂଲ୍ୟ ମଳିକ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ତହସିଲଦାରଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଏଥିସହ ଏହାର ଏକକିତା ନକଲ ୫-ଟି ସଚିବ ଭୁବନେଶ୍ୱର, କେନ୍ଦ୍ରାପଡ଼ା ଜିଲାପାଳ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାକୁ ପଠାଇ ଦିଆଯାଇଛି। ତେବେ ତହସିଲଦାର ଦିଲୀପ କୁମାର ସେଠୀ ଘଟଣାସ୍ଥଳକୁ ଯାଇ ସମସ୍ତ ଅନୁସନ୍ଧାନ କରିବା ପରେ ଯାହା କିଛି ପଦକ୍ଷେପ ନେବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।