ମାଲକାନଗିରି,୧୯ା୧(ଡି.ଏନ୍.ଏ.): ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ମୋଟୁ ବନାଞ୍ଚଳର ପୋଟେରୁକୋଲେଠାରେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହି ଚମଡ଼ାର ଲମ୍ବର ପ୍ରାୟ ୧.୧୩ ମିଟର। ମୋଟୁ ବନାଞ୍ଚଳର ସମସ୍ତ ବନପାଳ, ବନରକ୍ଷୀଙ୍କ ସହଯୋଗ ଏବଂ ବନାଞ୍ଚଳ ଅଧିକାରୀ ରଶ୍ମୀରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଏହି ଛାଲ ଜବତ କରାଯାଇଛି। ଏଥିସହ ଏକ ବାଇକ୍ ଏପି-୦୩ ବିଏମ୍ ୪୭୬୭କୁ ମଧ୍ୟ ଜବତ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ମୁକେଶ ମାଡକାମି, ପେଣ୍ଟା ମାଡ଼କାମି ଏବଂ ଦୁଲା ମାଡ଼ମାକିଙ୍କୁ ଗିରଫ କରାଯାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ମୋଟୁଠାରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ସମସ୍ତ ବ୍ୟକ୍ତି ମୋଟୁ ତଦସିଲ ଥାନା ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମର ଅଟନ୍ତି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।