ବାଲି ଚୋରାଚାଲାଣବେଳେ ହାଇଓ୍ବା ଜବତ

ପାଟଣା,୨୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ବାଲି ମାଫିଆମାନେ ଦିନରାତି ବିଭିନ୍ନ ନଦୀ ନାଳରୁ ଏଭଳି କି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରୁ ଚୋରା ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଥିପାଇଁ ବାଲି ମାଫିଆ ମାନେ ନକଲି ଟ୍ରାଞ୍ଜିଟ ପାସ ବ୍ୟବହାର କରି ଦୈନିକ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ କରୁଛନ୍ତି। ପାଟଣା ବ୍ଲକ ଭୀମକୁଣ୍ଡ-ଠାକୁରମୁଣ୍ଡା ରାସ୍ତାର ଭୀମକୁଣ୍ଡ ନିକଟରୁ ଏକ ବାଲି ବୋଝେଇ ହାଇୱାକୁ ଡିଏଫଓ ଏଚ.ଡି ଧନରାଜ ରବିବାର ଅପରାହ୍ନରେ ଜବତ କରିଛନ୍ତି। ହାଇୱା ଗାଡିଟି ବାଲି ନେଇ ଯାଉଥିବା ସମୟରେ ସନ୍ଦେହ ହେବାରୁ ଡିଏଫଓ ଗାଡିର ଟ୍ରାଞ୍ଜିଟ ପାସ ମାଗିଥିଲେ। ପରେ ଏହା ନକଲି ଜଣା ପଡିବା ପରେ ଗାଡିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ନେଇ ଖଣି ବିଭାଗକୁ ହସ୍ତାନ୍ତର କରିଥିବା ପାଟଣା ବନପାଳ ପିଅନ ନାଏକ କହିଛନ୍ତି।