ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍‌ ହୋଇଗଲେ ଅଭିଯୁକ୍ତ

ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ତଳେଗାଓଁ ପୋଲିସ ପକ୍ଷରୁ ଏହି ଘଟଣାରେ ୭ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ଅବକାରୀ ପୋଲିସ ପକ୍ଷରୁ ଗୁରୁବାର ରାତିରେ ମୁମ୍ବାଇ-ପୁନେ ଏକ୍ସପ୍ରେସ ଓ୍ବେ’ରେ ରେଡ୍‌ କରାଯାଇଥିଲା। ଏହି ସମୟରେ ଏମ୍‌ଏଚ୍‌ ୨୦ଡିଇ ୦୨୦୭ ନମ୍ବର ବିଶିଷ୍ଟ ଏକ କଣ୍ଟେନରରେ ବେଆଇନ ମଦ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାପରେ ଅବକାରୀ ଅଧିକାରୀମାନେ କଣ୍ଟେନରକୁ ନେଇ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ରାତି ସାଢ଼େ ଗୋଟାଏ ସମୟରେ ୨ଟି କାରରେ କିଛି ଅଜ୍ଞାତ ବ୍ୟକ୍ତି ଅବକାରୀ ଅଫିସରେ ପହଞ୍ଚିଥିଲେ। ସେଠାରେ ସେମାନେ ଅବକାରୀ କର୍ମଚାରୀଙ୍କୁ ର୍ଦୁବ୍ୟବହାର ଓ ଆକ୍ରମଣ କରି ମଦ ଭର୍ତ୍ତି କଣ୍ଟେନରଟିକୁ ନେଇ ପଳାଇଥିଲେ। ପରେ ଅବକାରୀ ବିଭାଗ ପକ୍ଷରୁ ଏନେଇ ତଳେଗାଁଓ ପୋଲିସ ଷ୍ଟେସନରେ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଇନ୍‌ପେକ୍ଟର ଶାହଜୀ ପାଓ୍ବାର କହିଛନ୍ତି, ‘ଏହା ଏକ ଗୁରୁତର ମାମଲା। ଯେଉଁଠାରେ ଅପରାଧିମାନେ ସରକାରୀ କର୍ମଚାରୀଙ୍କୁ ସରକାରୀ କର୍ତ୍ତବ୍ୟ ପାଳନ କରିବାରେ ବାଧା ପହଞ୍ଚାଇଛନ୍ତି। ସେମାନଙ୍କ ସବିଶେଷ ତଥ୍ୟ ମିଳି ସାରିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।’

Share